ପୁରୀ : ଶ୍ରୀମନ୍ଦିର ସେବାୟତ ଙ୍କ ପିଲା ମାନଂକ ପାଇଁ ବହୁ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ। ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ। ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହିବ। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍, ଶିକ୍ଷାଦାନ ପ୍ରଣାଳୀ ଓ ଏମ ଓୟୁ ସମ୍ପର୍କରେ ଆଲୋଚନା ହୋଇଥିଲା । ୨୦୨୪ ସୁଦ୍ଧା ଗୁରୁକୂଳ ସମ୍ପୂର୍ଣ କରିବା ପାଇଁ ଏହି ବୈଠକର ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଦର୍ଶ ଗୁରୁକୂଳ ନିମନ୍ତେ ଦୀର୍ଘ ବର୍ଷ ତଳେ ଯୋଜନା କରାଯାଇଥିଲା। ଗୁରୁକୂଳ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି। ଏଥିସହ ରାଜ୍ୟ ସରକାର ଅଭଡା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।
ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯିବା ପରେ ବିର୍ଲା କମ୍ପାନୀ ସହ ବୁଝାମଣା ପତ୍ର ବା ଏମ ଓୟୁ ସ୍ବାକ୍ଷର ହୋଇସାରିଛି। ଆଜି ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ୧୯ ଏକର ଜମିର ଆବଶ୍ୟକତା ରହିଦଳଥିବା କହିଛନ୍ତି। ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଆଦର୍ଶ ଗୁରୁକୂଳ ନେଇ ଦୀର୍ଘ ଦିନରୁ ଦାବି ହେବା ସହ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାରମ୍ବାର ଆଲୋଚନା କରାଯାଇଛି। ୧୪ ଏକର ପରିମିତ ଜମିରେ ରହିଥିବା ଜବରଦଖଲକୁ ଉଛେଦ କରିବା ପାଇଁ ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଛନ୍ତି।
ଆଦର୍ଶ ଗୁରୁକୂଳରେ ସେବାୟତ ପରିବାରର ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରିବା ଦ୍ବାରା ଉପଯୁକ୍ତ ଶିକ୍ଷା ପାଇବା ସହ ଉଚ୍ଚତର ଶିକ୍ଷା ପାଇଁ ମନୋନିବେଶ କରିପାରିବେ। ୫୦ ପ୍ରତିଶତ ସିଟ୍ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ପ୍ରାଚୀନ, ବୈଦିକ, ଧାର୍ମିକ ଓ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ସିବିଏସସି ଶିକ୍ଷା ବ୍ୟତୀତ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ। ଏଥିପାଇଁ ବିର୍ଲା ଏଜୁକେସନ ସୋସାଇଟି ସହଯୋଗ କରିବ। ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ। ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି।