ପୁଣି ସରଣ୍ଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ । ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରୁ କୁଖ୍ୟାତ ମାଓ ନେତା ମିଶିରି ବେଶ୍ରା ଖସିଯାଇଥିବା ସୂଚନା ମିଳିଛି । ମିଶିରି ବେଶ୍ରା ନାଁରେ ରହିଛି ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ବେଶ୍ରା ଓ ତାର ଟିମ୍ ସରଣ୍ଡାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ଠୋସ୍ ଗୁଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ ।
ଦିନକ ତଳେ ସିଆର୍ପିଏଫ୍ ଡିଜିଚାଇଁବସା ଗସ୍ତରେ ଆସି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ ସରଣ୍ଡା ଜଙ୍ଗଲରୁ ଏଭଳି ଗୁଳି ବିନିମୟ ଖବର ଆସିବାରୁ ଅଞ୍ଚଳରେ ଚର୍ଚ୍ଚା ବଢ଼ିଯାଇଛି ।