ଶ୍ରୀଜିଉଙ୍କୁ ଦର୍ଶନ କରି ରତ୍ନଭଣ୍ଡାର ଖୋଲିବା ନେଇ ମତ ରଖିଲେ ଛତିଶଗଡ ରାଜ୍ୟପାଳ

ପୁରୀ/ସଞ୍ଜୟ ମହାପାତ୍ର: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି। ଆହୁରି ଅଧିକ ଲୋକ ସେବା, ଦେଶ ସେବା କରିବା ପାଇଁ ମହାପ୍ରଭୁ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି। ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉପରେ ମଧ୍ୟ ମତ ରଖିଛନ୍ତି। ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ମଣତି କରିବାକୁ ସେ ମତ ରଖିଛନ୍ତି। ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲିବାର ନିୟମ ଥିବା ବେଳେ ସରକାର କାହିଁକି ରତ୍ନ ଭଣ୍ଡାର ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ ଆଇନମନ୍ତ୍ରୀ ଥିବା ବେଳେ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲିଥିଲେ। ତେବେ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରଚେଷ୍ଟା ହୋଇ ନଥିବାରୁ ପରବର୍ତ୍ତୀ ସମୟରେ ରତ୍ନ ଭଣ୍ଡାର ଖୋଲା ଯାଇ ପାରିନାହିଁ। ତେବେ ସରକାର ଏ ଦିଗରେ ପଦକ୍ଷେପ ନେଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ କହିଛନ୍ତି ଛତିଶଗଡ ରାଜ୍ୟପାଳ । ତେବେ ସେ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତ ତାଙ୍କୁ ସ୍ଵାଗତ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।ସେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ପରେ ଶ୍ରୀମନ୍ଦିର ବେଢା ଭିତରେ ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିଥଲେ।