ପୁରୀରେ ଗୋଷାଣୀ ଯାତ୍ରାରେ ବିରାଟକାୟ ନାଗାମୂତ୍ତି, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ଼

(ଶୁଭସ୍ମିତା ଦାଶ): ଦଶହରା ଉପଲକ୍ଷେ ଚାରିଆଡ଼େ ଉତ୍ସବର ମାହୋଲ । ସହରବାସି ଦାଣ୍ଡିଆ ଖେଳିବାର ମଜା ଉଠାଇବା ସହ ସଂନ୍ଧ୍ୟାରେ ବିଭିନ୍ନ ପୁଜା ପେଣ୍ଡାଲ ବୁଲି ବେଶ୍ ମଜା ଉଠାଉଛନ୍ତି । ପାର୍ବଣ ସମୟରେ ଧରାପୃଷ୍ଠରେ ପ୍ରଥମେ ମାଙ୍କ ଆବହାନ ହୋଇଥାଏ । କେତେକ ମଣ୍ଡପରେ ମାଙ୍କର ପ୍ରତିମା ପୂଜା ପାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହର ର୍ପାବତୀଙ୍କ ପ୍ରତିମାକୁ ମଣ୍ଡପରେ ପୂଜା ପାଇଥାଏ । ପ୍ରତି ପୂଜା ମଣ୍ଡପର ନିଜ ନିଜର ସ୍ୱତନ୍ତ୍ରତା ରହିଛି । ସେହିପରି ବିଭିନ୍ନ ସ୍ଥାନରେ ଦଶହରାକୁ ନିଆରା ଢଙ୍ଗରେ ପାଳନ କରାଯାଏ । ରାଜଧାନୀରେ ସୁଉଚ୍ଚ ତୋରଣ ଦେଖିବାକୁ ମିଳୁଥିବା ବେଳେ କଟକ ସହରରେ ମାଙ୍କ ପ୍ରତିମୂତ୍ତିକୁ ବେଶ୍ ଆର୍କଷଣୀୟ ଢଙ୍ଗରେ ତିଆରି କରାଯାଇଥାଏ । ମାଙ୍କୁ ଚାନ୍ଧି ଓ ସୁନା ମୁକୁଟରେ ସଜା ଯାଇଥାଏ ।

ସେହିପରି ପୁରୀରେ ଶାରଦୀୟ ଦୂର୍ଗା ପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ବିଭିନ୍ନ ସାହି ମାନଙ୍କରେ ମା’ ଙ୍କର ମୃଣ୍ମୟ ଗୋଷାଣୀ ପ୍ରିତିମା ସହ ବିରାଟକାୟ ନାଗାମୁର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ପୌରୁଷ ଓ ବିରତ୍ବର ପ୍ରତୀକ ହୋଇଥିବାରୁ ଏହି ଅବସରରେ ନାଗା ମୂର୍ତ୍ତିଗୁଡ଼ିକ ପୂଜା ଓ ଆବାହନ ପୁରୀର ଏକ ନିଆରା ପରମ୍ପରା।ଶାରଦୀୟ ପୁଜା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ବେଶ୍ ଚଳଚଞ୍ଚଳ। ଏଠାରେ ଥିବା ନାଗା ପୂଜାର ବିଧି ବ୍ୟବସ୍ଥା ମଧ୍ୟ ବେଶ୍ ନିଆରା। ନାଗା ମୂର୍ତ୍ତି ମାନଙ୍କୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ଏବଂ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ବାରା ସଜ୍ଜିତ କରିବାର ପରମ୍ପରା ମଧ୍ୟ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବଳିଷ୍ଠ ନାଗାସାଧୁମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ। ନାଗାମାନଙ୍କର ଏଭଳି ପୌରୁଷତ୍ବକୁ ନେଇ ଯାଗା ଆଖଡ଼ା ମାନଙ୍କରେ ନାଗା ନୃତ୍ୟର ଶିକ୍ଷା ଦିଆଯିବା ସହିତ ସାହିଯାତ ସମୟରେ ଏହା ପ୍ରଦର୍ଶିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି। ଏଣୁ ସହରର ପୁରାତନ ସାହି ବାଲି ସାହି, ହରଚଣ୍ଡି ସାହି, ମାର୍କଣ୍ଡେଶ୍ବର ସାହି, ଦୋଳମଣ୍ଡପ ସାହି, ହେରାଗୋହିରୀ ସାହି, ନରେନ୍ଦ୍ର କୋଣ ଏବଂ ବଳଗଣ୍ଡି ଛକ ପ୍ରଭୃତି ଅଞ୍ଚଳରେ ବିରାଟକାୟ ନାଗାମୂର୍ତ୍ତି ନିର୍ମାଣ କରାଯାଇ ଭଷାଣୀ ଦିନ ଏମାନଙ୍କୁ ସିଂହଦ୍ୱାର ନିକଟରେ ଏକତ୍ରିତ କରାଯାଇ ପ୍ରଦର୍ଶିତ କରାଯାଏ।
ଶାରଦୀୟ ପୂଜା ଅବସରରେ ନାଗାମୂର୍ତ୍ତି ନିର୍ମାଣ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା। ସାହି ଗୁଡ଼ିକରେ ଗୋଷାଣୀ ପୂଜା ସହ ନାଗାମୂର୍ତ୍ତି ଗୁଡ଼ିକର ଆକର୍ଷଣୀୟ ପୂଜା ଭକ୍ତ ଓ ପର୍ୟ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ।