ଭୁବନେଶ୍ୱର: ଆସିବ ପୁଞ୍ଜି ବଢିବ ନିଯୁକ୍ତି । ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାରେ ପାଦ ଥାପିବା ପାଇଁ ଆଗ୍ରହ କରୁଛନ୍ତି। ନିକଟ ଭବିଷ୍ୟତରେ ଓଡ଼ିଶା ଏକ ବିଶ୍ୱସ୍ତରୀୟ ଆଇଟି ଓ ସେମିକଣ୍ଡକ୍ଟର ହଟସ୍ପଟ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି।ତିନି ଦିନ ଧରି ଏହି ସମ୍ମିଳନୀରେ ଆମେରିକାରୁ ପୁଞ୍ଜିନିବେଶ ପ୍ରସ୍ତାବ ଧାରା ଅବ୍ୟାହତ ରହିଥିବାବେଳେ ଶୁକ୍ରବାର ଅନେକ ଖ୍ୟାତନାମା କମ୍ପାନୀ ଓଡ଼ିଶା ସହ ଶିଳ୍ପ ସମ୍ପର୍କ ସ୍ଥାପନ ଓ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି।ସିଲିକନ୍ ଭ୍ୟାଲିରେ ଆଇଟି, ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଅଟୋମେସନ୍, ଭିସି, ପ୍ରୋଫେସନାଲ ସର୍ଭିସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ/ମେସିନ୍ ଲର୍ଣ୍ଣିଂ ଏବଂ ୫-ଟି କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କମ୍ପାନୀ ସମୁହ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କାଡେନ୍ସ ଡିଜାଇନ୍ ସିଷ୍ଟମ୍ସ, ଇଣ୍ଟେଗ୍ରେଓନ୍, ଇଫେବଲେସ୍ କର୍ପୋରେସନ୍ଙ୍କ ଭଳି ବହୁରାଷ୍ଟ୍ରୀୟ କମ୍ପାନୀର ପ୍ରତିନିଧିମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବିଶ୍ୱର ଏକ ପ୍ରମୁଖ ଆଇଟି କମ୍ପାନୀ କଗନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍ସ (ସିଟିଏସ୍) ସହିତ ଫଳପ୍ରଦ ଆଲୋଚନା ହୋଇଛି।
ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବରିଷ୍ଠ ଅଧିକାରୀମାନେ ଆଜି ଗ୍ଲୋବାଲ୍ ଏଚଡିଆଇ ପିସିବି ମାନୁଫାକଚରି ଆଇଏନସି, ୟୁଏସର ପ୍ରତିଷ୍ଠାତା ତଥା ଇଣ୍ଟେଲର ପୂର୍ବତନ ନିର୍ବାହୀ ପିଆର ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଆଇଟି ତଥା ସେମିକଣ୍ଡକ୍ଟର ଉତ୍ପାଦକମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ଆର୍ଥିକ ଏବଂ ଅନ୍ୟ ପ୍ରୋତ୍ସାହନ ସମ୍ପର୍କରେ ଶ୍ରୀ ପଟେଲଙ୍କୁ ସୂଚନା ପ୍ରଦାନ କରାଯାଇଛି। ବିସ୍ତୃତ ଆଲୋଚନା ପରେ ଶ୍ରୀ ପଟେଲ ଓଡ଼ିଶାରେ ଏଚଡିଆଇ-ପିସିବି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଆଗାମୀ ସାତ ବର୍ଷ ମଧ୍ୟରେ କମ୍ପାନୀ ଓଡ଼ିଶାରେ ୪୩୬୦ କୋଟି ଟଙ୍କା ବିନିଯୋଗ କରିବା ନେଇ ଆଶ୍ୱାସନା ଦେଇଛି। କମ୍ପାନୀ ୩୫୦୦ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ସହିତ ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିଛି। ଏଚଡିଆଇ-ପିସିବି ହେଉଛି ଏକ ପ୍ରକାରର ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ (ପିସିବି) ଯାହା ପାରମ୍ପରିକ ସର୍କିଟ ବୋର୍ଡ ଠାରୁ ଅଧିକ ଦକ୍ଷ। ଉଚ୍ଚ କ୍ଷମତା ସମ୍ପନ୍ନ ସିଗନାଲ ସରବରାହ କ୍ଷେତ୍ରରେ ଏହାର ଅନେକ ଉପାଦେୟତା ରହିଛି। ଶ୍ରୀ ପଟେଲଙ୍କ ପ୍ରତିନିଧି ଖୁବ୍ ଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ସେହିପରି ଇଣ୍ଟେଗ୍ରେଓନ୍ ସିଇଓ ସୁବ୍ରତୋ ମୁଖାର୍ଜୀ ମଧ୍ୟରେ ୫୦୦ କ୍ଷମତା ବିଶିଷ୍ଟ ଡେଭଲପମେଣ୍ଟ ସେଣ୍ଟର ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗତକାଲି ଆଉ ଏକ ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ୫-ଜି ଲାନ୍ ସିଷ୍ଟମ୍ କ୍ଷେତ୍ରରେ ଉତ୍କର୍ଷ ପାଇଥିବା ସେଲୋନା ଡଟ୍ ଆଇଓ କମ୍ପାନୀର ସଂସ୍ଥାପକ ଏବଂ ସିଇଓ ରାଜୀବ ଶାହାଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ଦୂର ଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ନେଟୱାର୍କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା କେତେ ଅଗ୍ରଗତି କରିଛି ସେ ସମ୍ପର୍କରେ ଶ୍ରୀ ଶାହାଙ୍କୁ ସୂଚନା ପ୍ରଦାନ କରାଯାଇଛି। ଆଲୋଚନା ପରେ ସେଲୋନା ଏବଂ ଓଡ଼ିଶାର ଶୀର୍ଷ ଅନୁଷ୍ଠାନ ମିଳିତ ଭାବେ ୫-ଜି, ଇଣ୍ଡଷ୍ଟ୍ରି ୪.୦ କ୍ଷେତ୍ରରେ କାମ କରିବା ସହିତ ଭୁବନେଶ୍ୱରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସହମତି ହୋଇଛି। ଏହି ଅବସରରେ ଇ-ଫେବଲେସ୍ କର୍ପୋରେସନ୍ର ସିଇଓ ମାଇକେଲ୍ ୱିଶାର୍ଟ ଓଡ଼ିଶା ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କମ୍ପାନୀ ସ୍ୱତନ୍ତ୍ର ଚିପ୍ ଉତ୍ପାଦନରେ ସୁନାମ ଅର୍ଜନ କରିଛି। ଉଚ୍ଚ ବିଦ୍ୟାଳୟରୁ ନେଇ ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଉପରେ ଶିକ୍ଷାଦାନ କରିବା ନେଇ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି। ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଫେବ୍ରିକେସନ୍ ଉପରେ କମ୍ପାନୀ ୬ ସାପ୍ତାହିକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏପରି ପାଠ୍ୟକ୍ରମ ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ଦକ୍ଷ କରିବା ସହିତ ପ୍ରତିଯୋଗୀମୂଳକ ବଜାର ପାଇଁ ପ୍ରସ୍ତୁତ କରିବ। ଏଥିସହ ଇ-ଫେବଲେସ୍ କର୍ପୋରେସନ୍ ଏବଂ ଓଡ଼ିଶା ସରକାର ଓ-ଚିପ୍ କାର୍ଯ୍ୟକ୍ରମରେ ମିଳିତ ଭାବେ କାର୍ଯ୍ୟ କରିବେ। ଏଆଇ/ଏମ୍ଏଲ୍ ଉପରେ ଆଇପି ବିକାଶ ଦିଗରେ ଉଭୟ ପକ୍ଷ କାର୍ଯ୍ୟ କରିବେ ବୋଲି ସହମତି ହୋଇଛି।
ଅନୁରୂପ ଭାବରେ ଆଜି ସାନଫ୍ରାନ୍ସିସ୍କୋ ଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରେ ଶିଳ୍ପର ଅପାର ସମ୍ଭାବନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ସହିତ ସିଲିକନ୍ ଭ୍ୟାଲିର ୫୦ରୁ ଅଧିକ ପ୍ରମୁଖ କମ୍ପାନୀର ପ୍ରତିନିଧିମାନଙ୍କ ସହ ଓଡ଼ିଶାର ବିକାଶଧାରା ସମ୍ପର୍କରେ ଭାବ ଆଦାନପ୍ରଦାନ ଅନୁଷ୍ଠିତ ହୋଇଛି। ସେମାନେ ଏଥିରେ ବେଶ୍ ପ୍ରଭାବିତ ହେବା ସହିତ ଓଡ଼ିଶାରେ ବିକାଶରେ ସାମିଲ ହେବା ପାଇଁ ଆଗ୍ରହୀ ବୋଲି କହିଛନ୍ତି। ସେହିପରି ସେମିକଣ୍ଡକ୍ଟର ଏବଂ ଡିପ୍ଟେକ୍ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ଲିପ୍ ବୁ ଟାନ୍ ଟିମ୍ ଓଡ଼ିଶା ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଏଥିସହ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଆଇଓପେକ୍ସ ସିଇଓ ଶିବା ରମାନି ମଧ୍ୟ ଭୁବନେଶ୍ୱରରେ ଏକ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କମ୍ପାନୀର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।