ପୁରୀ: ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗୀ ନୀତି । ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରେ ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଆସନ୍ତା କାଲି ୪ ଘଣ୍ଟା ପାଇଁ ମହା ପ୍ରଭୁଙ୍କୁ ଦର୍ଶନ କରି ପାରିବେନି ସର୍ବସାଧାରଣ । ଏହି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହେଇଥିବାରୁ କାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୪ଟାରୁ ରାତ୍ରୀ ୮ ଟା ପର୍ଯ୍ୟନ୍ତ ଚାଲିବ ଏହି ସେବା ନୀତି । କିନ୍ତୁ ପାଶ୍ୱର୍ ଦେବା ଦେବୀଙ୍କୁ ଦର୍ଶନ କରିରିପାରିବେ ଭକ୍ତ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।