ବ୍ରହ୍ମପୁରରେ ଖୋଲିଲା ପ୍ରଥମ ପୋଷ୍ଟ-କୋଭିଡ କେୟାର ସେଣ୍ଟର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): କରୋନା ଭାଇରସ୍‌ ସଂକ୍ରମଣରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ଅନେକ ରୋଗୀଙ୍କ ଠାରେ କିଛି ଦିନ ଧରି ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଏମିତି ରୋଗୀଙ୍କ ପାଇଁ ବ୍ରହ୍ମପୁର ସହରରେ ଖୋଲିଛି ଓଡ଼ିଶାର ପ୍ରଥମ ପୋଷ୍ଟ୍‌-କୋଭିଡ଼ କେୟାର୍ ସେଣ୍ଟର୍‌ । ସେଠାରେ ରହିବା ଠାରୁ ଆରମ୍ଭ କରି ଖାଇବା, ଚିକିତ୍ସା ଓ ଔଷଧ ମାଗଣାରେ ରୋଗୀମାନଙ୍କୁ ଯୋଗାଇ ଦିଆଯିବ ।
କୋଭିଡ୍‌ ହସ୍ପିଟାଲରୁ ଡ଼ିସଚାର୍ଜ ହେବା ପରେ ରୋଗୀମାନେ ଏହି ପୋଷ୍ଟ୍‌-କୋଭିଡ଼ କେୟାର୍ ସେଣ୍ଟରରେ ‌କିଛି ଦିନ ରହିପାରିବେ । ଯେଉଁମାନଙ୍କର ଅକ୍ସିଜେନ୍‌ ଅଭାବ ରହୁଛି ସେମାନଙ୍କୁ ଅକ୍ସିଜେନ୍‌ ଦିଆଯିବା ସହ ପରବର୍ତ୍ତୀ ଚିକିତ୍ସା ବି ଏଠାରେ ମାଗଣାରେ ହେବ । ଏହା ସହ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏଠାରେ ସେମାନଙ୍କୁ ଯୋଗ ଶିକ୍ଷା ବି ଦିଆଯିବାର ବ୍ୟବସ୍ଥା ରହିଛି ।
ଏହି ପୋଷ୍ଟ କୋଭିଡ଼ କେୟାର୍‌ ସେଣ୍ଟର୍‌ ସହରର ରୋଟାରୀ କ୍ଳବ୍‌ ଓ ଗଞ୍ଜାମ ଚ୍ୟାମ୍ବର୍‌ ଅଫ୍‌ କମର୍ସ ଦ୍ବାରା ଆରମ୍ଭ କରାଯାଇଛି । ଏହାର ପରିଚାଳନାରେ ବି.ଏମ୍‌.ସି. ବି ସହଯୋଗ କରୁଛି ।