ଭବାନୀପାଟଣା-: ଜଣେ ଗ୍ରାହକଙ୍କ ଖାତାରୁ ଅନଧିକୃତ ଭାବେ ଟଙ୍କା କାଟିବା ଘଟଣାରେ ଖାଉଟି ଅଦାଲତ ବ୍ୟାଙ୍କକୁ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଜୋରିମାନା ଅର୍ଥ ଜମା ନକଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଷ୍ଟେଟ ବ୍ୟାଙ୍କର ବଜାର ଶାଖାରେ ଗ୍ରାହକ ସ୍ପନ୍ଦନ କୁମାର ବେହେରାଙ୍କ ଏକ କ୍ରେଡିଟ କାର୍ଡ ରହିଛି। କ୍ରେଡିଟ କାର୍ଡରୁ ଖର୍ଚ୍ଚ ବାବଦକୁ ଗତ ମାର୍ଚ୍ଚ ମାସରେ ସେ ୧୨ ହଜାର ୩୧୮ ଟଙ୍କା ଜମା କରିଥିଲେ। ତଥାପି ତାଙ୍କ ଜମାଖାତାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ୭ ହଜାର ୩୧୮ ଟଙ୍କା କାଟି ଦେଇଥିଲେ। ଏନେଇ ସେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଉଚିତ୍ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଶ୍ରୀ ବେହେରା ଜିଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ।
ତେବେ କଳାହାଣ୍ଡି ଖାଉଟି ଅଦାଲତ ମାମଲାର ଶୁଣାଣି କରି ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ୧୦ ହଜାର ଏବଂ ମାମଲା ପରିଚାଳନା ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଷ୍ଟେଟ ବ୍ୟାଙ୍କ୍ ବଜାର ଶାଖା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆସନ୍ତା ଏକ ମାସ ମଧ୍ୟରେ ଜୋରିମାନା ଅର୍ଥ ଜମା ନକଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।