କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକ ଯମପଡା ପଞ୍ଚାୟତ ଗୌଡ଼ ଗାଁରେ ତୈଳ ସନ୍ଧାନ ମିଳିଛି । ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାଖରେ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଥିବା ସୂଚନା ମିଳିଛି । । ଏନେଇ ମାର୍ଶାଘାଇ ତହସିଲଦାର ଭାନୁମତୀ ମାଝି, ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା, ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ସମେତ ଗ୍ରାମବାସୀଙ୍କୁ ନେଇ ଜନଶୁଣାଣି କାର୍ୟ୍ୟକ୍ରମ ଶେଷ ହୋଇଛି।ଖଣିଜ ତୈଳ ସନ୍ଧାନ ମିଳିବା ପରେ ଭାରତୀୟ ତୈଳ ନିଗମ ପକ୍ଷରୁ ଖନନ ପ୍ରକ୍ରିୟା ପାଇଁ ତତ୍ପରତା ପ୍ରକାଶ ପାଇଛି।
ଯେଉଁ ସ୍ଥାନରେ ଅଶୋଧିତ ତୈଳର ସନ୍ଧାନ ମିଳିଛି, ସେହି ସ୍ଥାନର ଜମି ମାଲିକଙ୍କ ଠାରୁ ଲିଜ୍ରେ ଜମି ନିଆଯାଇଛି । ଏନେଇ ପ୍ରାୟ ୧୧୪ଜଣ ସ୍ଥାନୀୟ ଲୋକଙ୍କଠାରୁ ଲିଜରେ ଜମି କିଣାଯାଇଛି ।ଲିଜ୍ ନିମନ୍ତେ ୪ ଡିସିମିଲକୁ ବାର୍ଷିକ ୧୪ହଜାର ଟଙ୍କା ପ୍ରଦାନ କରାଯିବାକୁ ସ୍ଥିରୀକୃତ ହୋଇଛି।ଖୁବଶୀଘ୍ର ମାଟି ଖୋଳିବା କାମ ଆରମ୍ଭ ହେବା ସୂଚନା । ପ୍ରଥମ ପର୍ୟ୍ୟାୟରେ ୧୪୫ ଫୁଟର ଡ୍ରିଲିଂ ପାଇଁ ଆବଶ୍ୟକ ହେଉଥିବା ରିକ୍ ମେସିନ୍ ସାହାଯ୍ୟରେ ପ୍ରାୟ ୨୫ଶହ ମିଟର ମାଟି ତଳକୁ ଡ୍ରିଲ କରାଯାଇ କେତେ ପରିମାଣର ତୈଳ ଗଚ୍ଛିତ ଅଛି ତାହା ଅସୁସନ୍ଧାନ କରାଯିବ ।