ଆସାମ: ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍ ଇନ୍ସପେକ୍ଟର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି। ଆସାମ ପୋଲିସରେ ସବ୍ ଇନ୍ସପେକ୍ଟର ରୂପେ କାର୍ଯ୍ୟରତ ଜୁନମୋନି ରାଭା ଏ ନେଇ ଖୁବ୍ଶୀଘ୍ର ଗିରଫ ହେବାର ସମ୍ଭାବନା ମଧ୍ୟ ରହିଛି। ସୂଚନା ଅନୁଯାୟୀ ,ଜୁନମୋନିଙ୍କ ବିରୋଧରେ ମାଜୁଲି ଜିଲ୍ଲାର ଏକ ଥାନାରେ ଭ୍ରଷ୍ଟାଚାର ଅଭିଯୋଗ ହେବା ସହିତ ୭ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗଗୁଡ଼ିକରେ ୩ ଜାମିନ ବିହୀନ ଅଭିଯୋଗ ମଧ୍ୟ ରହିଛି।
ଚଳିତବର୍ଷ ଦୁଇଥର ଚର୍ଚ୍ଚାକୁ ଆସିବା ପରେ ଆସାମ ଜନତାଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲେ। ଏଥି ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ଜୁନମୋନିଙ୍କର ବିହପୁରିୟା ବିଧାୟକ ଅମିୟ କୁମାର ଭୂୟାଁଙ୍କ ସହ ଟେଲିଫୋନରେ ହୋଇଥିବା କଥାବାର୍ତ୍ତା ସୋସିଆଲ ମିଡିଆରେ ଲିକ୍ ହୋଇଯାଇଥିଲା। ନିଖୋଜ ଆଦିବାସୀମାନଙ୍କର ଏକ ଡଙ୍ଗା ଜବତ ମାମଲାରେ ବିହପୁରିୟା ବିଧାୟକ ଜୁନମୋନିଙ୍କୁ ତାଙ୍କ ଦାୟିତ୍ୱରୁ ହଟିଯିବାକୁ ଦାବି କରିଥିଲେ।
ସେହି ସମୟରେ ଜୁନମୋନି ମାଜୁଲି ଜିଲ୍ଲାରେ ଜଣେ ଏସ୍ଆଇ ରୂପେ କାର୍ଯ୍ୟ କରୁଥିଲେ। ଉକ୍ତ ଟେଲିଫୋନିକ୍ ବାର୍ତ୍ତାଳାପରେ ବିଧାୟକ ଅମିୟ କୁମାର ଭୂୟାଁଙ୍କ ଚାପରେ ଜୁନମୋନି ଝୁଙ୍କିବାକୁ ମନା କରୁଥିବାର ସ୍ପଷ୍ଟ ରୂପେ ଶୁଣାଯାଇଥିଲା। ସେ ଆସାମ ବିଧାୟକଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ଯେ ‘କେମିତି ସେ ଲୋକ ପ୍ରତିନିଧି ହୋଇ ବି ପୋଲିସକୁ ନିୟମ ଏବଂ ଆଇନ ଭାଙ୍ଗିବାକୁ କହୁଛନ୍ତି’।