OTET ପ୍ରଶ୍ନପତ୍ର ଲିକ୍‌ ମାମଲା, ୬ ଜଣ ଗିରଫ

କଟକ: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୬ ଜଣ ଗିରଫ । ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ୍‌ ହୋଇଛି ପ୍ରଶ୍ନପତ୍ର । ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏଥିରେ ସମ୍ପୃକ୍ତ ଅଛନ୍ତି । ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଯିବାର ପ୍ରମାଣ ମିଳିଛି । ଏହି ପ୍ରଶ୍ନପତ୍ର ଲିକ୍‌ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ସେପଟେ ଉକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରଶ୍ନପତ୍ର ଲିକ୍ ଘଟଣାରେ  ଗିରଫ ଅଭିଯୁକ୍ତମା‌ନେ ହେଲେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ କାଚପଡା ଗ୍ରାମର ଜିତେନ ମହାରଣା, ରାୟଗଡା ଜିଲ୍ଲା  କୁନ୍ଦୁରା ଥାନା ଅଧୀନ କୋମାସାହିର ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ,  କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ବର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । ଗିରଫ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ । ପରେ ରିମାଣ୍ଡରେ ଆଣି ତଦନ୍ତ କରାଯିବ । ଯିଏ ପ୍ରଶ୍ନପତ୍ର ଭାଇରାଲ କରିଛି ତାହା ସ୍ପଷ୍ଟ ହୋଇଛି । ଘଟଣାରେ ଯିଏ ଯିଏ ସମ୍ପୃକ୍ତ ପଦକ୍ଷେପ ନିଆଯିବ ।