ଚାଷୀଙ୍କ ବିଶ୍ୱାସଭାଜନ ହୋଇଛି ଆନ୍ଧ୍ର ବିହନ

ଆନ୍ଧ୍ର ବିହନ ଉପରେ ଓଡ଼ିଶା ଚାଷୀଙ୍କ ଭରଷା । ଗଜପତି ଚାଷୀ କିଣୁ ନାହାଁନ୍ତି ଓଡିଶା ବିହନ । ଜିଲ୍ଲାର ବିହନ ନିଗମରେ ୨୦ କିସମର ୫ କ୍ବିଣ୍ଟାଲରୁ ଅଧିକ ବିହନ ମହଜୁଦ ରହିଛି । ଚଢ଼ା ଦରରେ କଳାବଜାରୀ କରୁଥିବା ବ୍ୟବସାୟୀଙ୍କଠାରୁ ଆନ୍ଧ୍ର ବିହନ କିଣୁଛନ୍ତି । ଗଜପତି ଜିଲ୍ଲାର ସମସ୍ତ ବ୍ଳକ, ଲ୍ୟାମ୍ପ୍‌ ଓ ଡିଲରଙ୍କ ପାଖରେ ଆବଶ୍ୟକ ପରିମାଣର ଧାନ ବିହନ ମହଜୁଦ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ଉପରେ ଚାଷୀ ଭରସା କରୁନାହାନ୍ତି । ଚାଷୀଙ୍କ କହିବାନୁସାରେ, ଓଡ଼ିଶା ବିହନ ତୁଳନାରେ ପଡ଼ୋଶୀ ବିହନ ଉନ୍ନତମାନର । ଆନ୍ଧ୍ର ବିହନ ବ୍ୟବହାର କଲେ ଭଲ ଅମଳ ହୁଏ । ତେଣୁ ଦାମ୍‌ ଅଧିକ ହେଲେ ମଧ୍ୟ ଆନ୍ଧ୍ର ବିହନ ବ୍ୟବହାର କରୁଛନ୍ତି ଗଜପତି ଅଞ୍ଚଳର ଚାଷୀ । ଅନ୍ୟପଟେ ଚାଷୀ ନେତା ସୂର୍ୟ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ମଧ୍ୟ ବିଭିନ୍ନ କିସମର ବିହନ ମହଜୁଦ ଅଛି। କେବଳ ସୁନ୍ଦର ପ୍ୟାକେଟ୍‌ ଓ ସଫା ବିହନ ଦେଖି ଚାଷୀ ଆକୃଷ୍ଟ ହେଉଛନ୍ତି।

ଏ ସଂକ୍ରାନ୍ତରେ ଜିଲ୍ଲା କୃଷି ଅଧିକାରୀ ସେହି ସମାନ ମତ ରଖିଛନ୍ତି । କହିଛନ୍ତି ସବୁ ବିହନର ପରୀକ୍ଷଣ ପ୍ରଣାଳୀ ଗୋଟିଏ ପ୍ରକାରର । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିହନରେ ଆବଶ୍ୟକୀୟ ଗୁଣବତ୍ତା ରହିଛି । ଗଜପତି ଜିଲ୍ଲାରେ ଆନ୍ଧ୍ର ବିହନ କେବଳ ଚଳିତ ବର୍ଷ ନୁହେଁ ବେଶ୍‌ କିଛି ବର୍ଷ ହେଲାଣି ବିକ୍ରି ହେଉଛି । ଏଥିପାଇଁ ପ୍ରକୃତରେ ଦାୟୀ କିଏ? ବିହନର ମାନ ନା ସଚେତନତାର ଅଭାବ ।