ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ

ପୁରୀ-: ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ । ଭଗବାନ ଶ୍ରୀବିଷ୍ଣୁଙ୍କ ରାମବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ ।  ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମିଳିତ ରୂପ ଦେବାକୁ ମିଳିଥାଏ । ରବିବାରଠାରୁ ଆରମ୍ଭ ହେବ ସାହିଯାତ। ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ଯାତ ବାହାରି ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବ । ଏହାପରେ ବାଦିସାହିକୁ ଯାଇ କଳା କୌଶଳ ପ୍ରଦର୍ଶନ କରିବ ।

ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶ୍ରୀରାମ ନବମୀରୁ ମହାପ୍ରଭୁଙ୍କ ରାମାଭିଷେକ ପର୍ଯ୍ୟନ୍ତ ପାରମ୍ପରିକ ସାହିଯାତ ପାଳନ ହୁଏ । ଶ୍ରୀକ୍ଷେତ୍ରର ସାତସାହି ଆଖଡା ପକ୍ଷରୁ ରାମଜନ୍ମ ଠାରୁ ଆରମ୍ଭ କରି ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ସାହିଯାତରେ ପ୍ରଦର୍ଶନ ହୁଏ । ପୁରୀର ସର୍ବପୁରାତନ ସାହି ତଥା ଶ୍ରୀମନ୍ଦିର ଚାରିପାଖରେ ଥିବା ସାତ ସାହି ଗୁଡିକ ପକ୍ଷରୁ ସାହିଯାତ ଆୟୋଜନ ହୋଇଥାଏ । କାଳିକାଦେବୀ ସାହି, ଗୌଡ଼ବାଡ଼ ସାହି, ହରଚଣ୍ଡୀ ସାହି, ମାର୍କେଣ୍ଡଶ୍ୱର ସାହି, ଦୋଳମଣ୍ଡପ ସାହି, ବାଲିସାହି ଓ କୁଣ୍ଢେଇବେଣ୍ଟ ସାହିରୁ ବିଭିନ୍ନ ନାଗାମେଢ, ରାବଣ, ପର୍ଶୁରାମ, କାଳୀମେଢ, ସପ୍ତଶିରା ପ୍ରଭୃତି ଚରିତ୍ର ବାହାରି ସାହି ମାନଙ୍କୁ ଯାଇ ସମରକଳା ପ୍ରଦର୍ଶନ କରନ୍ତି ।

ରାମନବମୀ ତିଥି ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ସମ୍ପନ୍ନ କରାଯିବ। ତେଣୁ ରବିବାର ଠାରୁ ସାହିଯାତ ଆରମ୍ଭ ହେବ । ସେହିଭଳି ୭ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ଓ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ହେବ । ୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳା ହରଣ ନୀତି କରାଯିବ । ୯ ତାରିଖରେ ମାର୍କେଣ୍ଡଶ୍ୱର ସାହି ପକ୍ଷରୁ ବନବାସ ନୀତି, ୧୧ରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରୀ ନୀତି, ୧୨ରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ନୀତି, ୧୩ରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରସ୍ତାବ ନୀତି, ୧୪ରେ ବାଲିସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନୀତି ସମ୍ପନ୍ନ କରାଯିବ। ସେହିପରି ୨୨ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ସହ ସାହିଯାତ ଶେଷ ହେବ।