ବୋର୍ଡ ଉପାଧ୍ୟକ୍ଷଙ୍କ ବିଦ୍ୟାଳୟ ଭିତ୍ତିଭୂମି ଅନୁଧ୍ୟାନ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ସଦର, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତ କରି ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା । ପୁରୀ ସଦର ବ୍ଲକ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମଗିରି ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ, ରାୟବିଧାରର ଗଙ୍ଗାଧର ସରକାରୀ ବିଦ୍ୟାଳୟ ସହିତ ଅନ୍ୟାନ୍ୟ ବିଦ୍ୟାଳୟରେ କାର୍ୟ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପୁରୀ ଜିଲ୍ଲାର ୬୦ଟି ବିଦ୍ୟାଳୟର ସ୍କୁଲ ରୁପାନ୍ତରୀକରଣ କାର୍ୟ୍ୟକ୍ରମର ଲୋକାର୍ପଣ କରିବେ ।
କାର୍ଯ୍ୟକ୍ରମ ପୂର୍ବରୁ ଆଜି ଶ୍ରୀ ଦାସବର୍ମା ବିଦ୍ୟାଳୟ ଗୁଡିକୁ ଗସ୍ତ କରି ସମସ୍ତ କାର୍ୟ୍ୟର ଅନୁଧ୍ୟାନ କରିବା ସହିତ ବ୍ଲକ ପ୍ରଶାସନ, ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ମାନଙ୍କ ସହିତ ବୈଠକ କରିଛନ୍ତି । ଏହି ଗସ୍ତରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ସମିତି ସଭ୍ୟ ଯୁଧିଷ୍ଠିର ନାୟକଙ୍କ ସମେତ ବୀରନରସିଂହପୁର ସରପଞ୍ଚ ଶଶି ଭୂଷଣ ପଣ୍ଡା, ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ, ଭୁବନପୁର ସରପଞ୍ଚ ଗିତାରାଣୀ ଜେନା, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।