ବିହାର: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ, ନିତ୍ୟାନନ୍ଦ ରାଏ, ସମ୍ରାଟ୍ ଚୌଧୁରୀ, ଏବଂ ବିଜୟ କୁମାର ସିନ୍ହା ସହିତ ଅନ୍ୟାନ୍ୟ ଏନ୍ଡିଏ ନେତାମାନେ ଉପସ୍ଥିତ ଥିଲେ। ଗୁରୁବାର ଦିନ ଏହି ନାମାଙ୍କନ ସହିତ ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ଦୀର୍ଘ ସମୟ ଧରି ବିହାରର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ଏବେ ଦିଲ୍ଲୀ ରାଜନୀତିକୁ ପ୍ରବେଶ କରିବାକୁ ଯାଉଛନ୍ତି। ରାଜ୍ୟସଭାର ସଦସ୍ୟ ହେଲେ ସେ ସଂସଦର ଉଚ୍ଚ ସଦନରେ ଭୂମିକା ନିଭାଇବେ, ଯାହା ଫଳରେ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିବା ସମ୍ଭାବନା ବଢ଼ିଛି।
ଏହି ପରିସ୍ଥିତିରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି ନୂତନ ମୁଖ୍ୟମନ୍ତ୍ରୀ ଦେବ କି ଜେଡିୟୁ କୋଟାରୁ ନୂଆ ନେତାଙ୍କ ନାମ ଆସିବ—ଏହା ନେଇ ରାଜନୈତିକ ମହଳରେ ଆଲୋଚନା ଚାଲିଛି। ଏପରି ସମୟରେ ବିରୋଧୀ ଦଳମାନେ ମଧ୍ୟ ନୀତିଶ କୁମାରଙ୍କ ରାଜ୍ୟସଭା ପ୍ରବେଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନାମାଙ୍କନ ପୂର୍ବରୁ ନୀତିଶ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ଲୋକମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ ଲେଖିଥିଲେ ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିହାରର ଲୋକମାନେ ତାଙ୍କୁ ନିରନ୍ତର ଭାବରେ ବିଶ୍ୱାସ ଓ ସମର୍ଥନ ଦେଇଆସୁଛନ୍ତି। ସେହି ସମର୍ଥନ ଦ୍ୱାରା ସେ ପୂର୍ଣ୍ଣ ନିଷ୍ଠା ସହ ବିହାରର ସେବା କରିପାରିଛନ୍ତି ବୋଲି ସେ କହିଥିଲେ। ନୀତିଶ କୁମାର କହିଥିଲେ ଯେ ଲୋକମାନଙ୍କ ବିଶ୍ୱାସ ଓ ସମର୍ଥନ ଫଳରେ ବିହାର ଆଜି ବିକାଶ ଓ ସମ୍ମାନର ନୂଆ ଦିଗକୁ ଆଗେଇଯାଇଛି। ସେ ଏଥିପାଇଁ ରାଜ୍ୟର ଲୋକମାନଙ୍କୁ ଆବାର ଧନ୍ୟବାଦ ଜଣାଇଥିଲେ।