କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରେ ବଣୁଆ ହାତୀ ଆତଙ୍କ ଖେଳାଇଛି । ଗାଁରେ ଘରେ ଘରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ତାଟି କବାଟ ପଡିଛି । ହାତୀ ଘରଦ୍ୱାର ଭାଙ୍ଗିଥିବା ବେଳେ ଲୋକଙ୍କୁ ଆକ୍ରମଣ କରିଛି । ହାତୀ ଆକ୍ରମଣ କରି ଘର ଭାଙ୍ଗୁଥିବା ବେଳେ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିବା ବେଳ ଲୋକଙ୍କ ସୁରକ୍ଷା ଦାବି ହୋଇଛି । ଠିକ୍ ସେହିଭଳି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଁରା ଗାଁରେ ବି ପଶିଛି ଗୋଠଛଡା ଦନ୍ତା ହାତୀ । ଆଜି ଗୁରୁବାର ସକାଳୁ ସକାଳୁ ହଦଗଡ ହସ୍ତୀ ଅଭୟାରଣ୍ୟରୁ ଏକ ହାତୀ ମୁଦୁଲିପଡା, କଳିଗାଁ ଦେଇ ଅଁରା ଗାଁରେ ପହଂଚିଛି । ଦିନ ଦିପହରରେ ହାତୀ ପଶି ବୁଲୁଥିବାର ଦୃଶ୍ୟ ସମାନାକୁ ଆସିଛି । ଖାଦ୍ୟ ପାଇଁ ହାତୀ ଜଙ୍ଗଲରୁ ଆସି ଗାଁରେ ପଶିଛି । ଗାଁ ଦାଣ୍ଡରେ ହାତୀ ବୁଲୁଥିବା ବେଳେ ପଡିଲାଣି ତାଟି କବାଟ । ଲୋକେ ଭୟଭୀତ ହୋଇ ଘରୁ ବାହାରୁନାହାନ୍ତି । ଅମଳ ଫସଲ ମଧ୍ୟ ନଷ୍ଟ କରିବାରେ ଲାଗିଛି ହାତୀ । ଅମଳ ଫସଲ ନଷ୍ଟ ହେଉଥିବାରୁ ଗାଁର ଲୋକମାନେ ମିଶି ହାତୀକୁ ଘଉଡାଇବାରେ ଲାଗିଛନ୍ତି । ସେପଟେ ଖବର ପାଇ ହଦଗଡ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଚେଷ୍ଟ। କରୁଛନ୍ତି । ଯେଉଁଭଳି ଭାବରେ ମଣିଷ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି ,ସେଥିପାଇଁ ଜଙ୍ଗଲୀ ଜନ୍ତୁ ମାନେ ଜନବସତୀ ମୁହାଁ ହେଉଛନ୍ତି । କିନ୍ତୁ ବନବିଭାଗ ର କାର୍ଯ୍ୟ କଳାପ କୁ ନେଇ ଉଠିଛି ପ୍ରଶ୍ନ ।