ନିର୍ବାଚନୀ ହିଂସାରୁ ଗୁଳିକାଣ୍ଡ ଘଟଣା

ନୂଆପଡା,: ନୂଆପଡା ଜିଲ୍ଲା ଲଖନା ଥାନା ଲିମଡିହି ଗ୍ରାମରେ ନିର୍ବାଚନୀ ହିଂସାରୁ ଗୁଳିକାଣ୍ଡ ଘଟଣାରେ ଜଣେ ଗୁରୁତର । ପଡୋଶୀ ରାଜ୍ୟ ରାୟପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କଲେ ପରିବାର ଲୋକେ । ଘଟଣା ସ୍ଥଳରେ ଡଗ ସ୍ୱାର୍ଡ଼  ଓ ସାଇଣ୍ଟିଫିକ୍ ଟିମ ସହ ନୂଆପଡା ଓ ଲଖନା ପୋଲିସର ତଦନ୍ତ ଆରମ୍ଭ । ଗତ ପଞ୍ଚାୟତ ନିର୍ବାଚନରେ ଲିମଡିହି ଗ୍ରାମର ମୋହନ ଲାଲ ସାହୁ ଓ ରାମ ଗୁଲାଲ ଶବର ଦୁହେଁ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ । ରାମ ଗୁଲାଲ ବିଜୟୀ ହୋଇ ବିଭିନ୍ନ ସମୟରେ ମୋହନଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିଲେ ।

ଗତକାଲି ବିଳମ୍ବିତ ରାତିରେ ଲାମ ଗୁଲାଲ ଓ ଅନ୍ୟ କିଛି ସହଯୋଗୀ ମୋହନଲାଲଙ୍କ ଘର ପଛପଟ ଗେଟ ଭାଙ୍ଗି ଭିତରକୁ ଯିବାପାଇଁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଥିଲେ । ତେବେ ସାମନା ଗ୍ରିଲ ଭାଙ୍ଗି ଘର ଭିତରେ ପଶିବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଭାରତୀୟ ସ୍ଥଳ ସେନାରେ ଚାକିରୀ କରୁଥିବା ମୋହନ ଲାଲଙ୍କ ପୁଅ ଇଶ୍ୱର ସାହୁକୁ ସେମାନେ ମାରିବା ପାଇଁ ଆସିଥିବା ଅଭିଯୋଗ ଆଣିଛନ୍ତି ମୋହନ । ପୁଅ ଶ୍ୱଶୁର ଘର ବଲାଙ୍ଗିର ଜିଲ୍ଲା ଚିତ୍ରାମୁଣ୍ଡାକୁ ଏକ ବିବାହ ଭୋଜିରେ ଯାଇଥିଲେ । ଦିର୍ଘ ଦିନ ହେବ ଇଶ୍ୱରଙ୍କ ଶାଳକ ଭିଣେଇ ଘରେ ରହି ସବୁ ଦେଖାରଖା କରୁଥିଲେ ।

ବିଳମ୍ବିତ ରାତିରେ ପାଟିତୁଣ୍ଡ ଶୁଣି ବାହାରକୁ ବାହାରିବା ସମୟରେ ହଠାତ ଗୁଳି ଫୁଟିଥିଲା । ଯେଉଁଥିରେ ଇଶ୍ୱରଙ୍କ ଶାଳକ ରୁପେଶ ସାହୁଙ୍କ ମୁହଁରେ ସାମାନ୍ୟ ଆଘାତ ହୋଇଥିଲା । କାନ୍ଥରେ ପ୍ରଥମେ ଗୁଳି ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରୁପେସ ସାହୁ । ଗୁରୁତର ରୁପେସଙ୍କୁ ପ୍ରଥମେ ନୂଆପଡା ମୂଖ୍ୟ ଚିକିତ୍ସାଳୟ ଓ ପରେ ରାୟପୁର ସ୍ଥାନାନ୍ତର କରାଯାଇଛି । ଖବର ପାଇ ନୂଆପଡା ଓ ଲଖନା ପୋଲିସ ସହ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଡଗ ସ୍ୱାର୍ଡ଼ ଓ ସାଇଣ୍ଟିଫିକ ଦଳ ଧରି ଅଧିକ ତଦନ୍ତ ଜାରି ରଖିଛନ୍ତି ।