ଏସିବିରେ ଏକମୋ ଚକିତ୍ସା : ତାଲିମରେ ଯିବେ ବରିଷ୍ଠ ଡାକ୍ତର

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ‘ଏକ୍ମୋ’ ଚିକିତ୍ସା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ। ସରକାରୀ ଡାକ୍ତରଖାନାରେ ମିଳିବ ‘ଏକ୍ମୋ’ ଚିକିତ୍ସା। ରାଜ୍ୟ ସରକାର ଏ ଦିଗରେ ଗୋଟିଏ ପାଦ ଆଗକୁ ଯାଇଛନ୍ତି । ଭୁବନେଶ୍ବରରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ସଂପର୍କରେ ସମୀକ୍ଷା କରିଛନ୍ତି । ତାଙ୍କ ନେତୃତ୍ବରେ ଓଏସ୍ଏମ୍ସିଏଲ୍ର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଯାମିନୀ ଷଡଙ୍ଗୀ, ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥି ନିମନ୍ତେ ଯେଉଁ ଭିତ୍ତିଭୂମି ଆବଶ୍ୟକ ସେସବୁକୁ ତୁରନ୍ତ ପୂରଣ କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ଓଏସ୍ଏମ୍ସିଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାରଠାରୁ ପ୍ରଥମ ପର୍ୟ୍ୟାୟରେ ୯ଜଣ ଡାକ୍ତର ଓ କର୍ମଚାରୀ ଏକ୍ମୋ ୟୁନିଟ୍ ପାଇଁ ସାତ ଦିନିଆ ତାଲିମରେ କୋଲକାତା ଯିବେ ବୋଲି ଜଣାପଡିଛି। ଯେଉଁଥିରେ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୩ଜଣ ପରଫ୍ୟୁଜିନିଷ୍ଟ ଓ ୪ଜଣ ଷ୍ଟାଫ୍ ନର୍ସ ରହିଛନ୍ତି।
ବର୍ତ୍ତମାନ ପାଇଁ ଏସ୍ସିବିକୁ ୩ଟି ଏକ୍ମୋ ଆସିଥିବା ବେଳେ ଆସନ୍ତା ସପ୍ତାହରେ ସେଗୁଡିକର ଇନଷ୍ଟୋଲେସନ କରାଯିବ । ଆଜିର ଏହି ଏକ୍ମୋ ୟୁନିଟ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଡିଏମ୍ଇଟି ଡାକ୍ତର ଉମାକାନ୍ତ ଶତପଥୀ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ସିଡିଭିଏସ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।