ଆଜି ପୀଠରେ ମହାମାୟାଙ୍କ ଦଶମୀ, ମଣ୍ଡପରେ ମହାନବମୀ

ଭୁବନେଶ୍ବର: ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା ହେଲେ ବଢୁଛି ଭିଡ଼ । ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ ।

ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି ।

ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ । ଆସନ୍ତାକାଲି ମଣ୍ଡପରେ ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।