ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି

ଭୁବନେଶ୍ୱର:- ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କ୍ୟାବିନେଟର ନିଯୁକ୍ତି କମିଟି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ପାଣିପାଗ ବିଭାଗ (IMD)ରେ ପାଣିପାଗ ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛି । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ ।

୬୦ ବର୍ଷୀୟ ଡ଼.ମହାପାତ୍ର ଏବେ ଆଇଏମଡିରେ ମହାନିର୍ଦ୍ଦେଶକ(ଏଡିଜି) ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୨ ଅଗଷ୍ଟ ୧୯୬୫ ଭଦ୍ରକରେ ଜନ୍ମ ଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ପ୍ରଥମେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ରେ ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ । ପରେ କୌଣସି କାରଣରୁ ଚାକିରିରୁ ଇସ୍ତଫା ଦେଇ ଭୁବନେଶ୍ୱର ସ୍ଥିତ ଏକ ସରକାରୀ କଲେଜରେ କିଛି ମାସ ଅଧ୍ୟାପନା କରିଥିଲେ । କିଛି ଦିନ ପରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ରେ ଯୋଗ ଦେଇଥିଲେ ।