ଆଉ ଆଗକୁ ବଢ଼ୁନି: ପ୍ରାୟ ଦୁଇ ସପ୍ତାହ ଧରି ସ୍ଥାଣୁ ହୋଇ ରହିବ ମୌସୁମୀ

ଭୁବନେଶ୍ୱର: ଅଟକିଗଲା ମୌସୁମୀ। ଯେଉଁ ଗତିରେ ଓଡ଼ିଶାକୁ ମାଡ଼ି ମାଡ଼ି ଆସିଥିଲା, ସେଥିରେ ଏବେ ବ୍ରେକ୍‌ ଲାଗିଛି। ଆଉ ଆଗକୁ ବଢ଼ୁନି। ପ୍ରାୟ ଦୁଇ ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ, ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ, ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ମାସ ପରେ ଏପରି ସ୍ଥିତି ଅର୍ଥାତ୍‌ ‘ମୌସୁମୀ ବ୍ରେକ୍‌’ ହେଉଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସ୍ଥିତି ସୃଷ୍ଟି ହେବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାଇ ଦେଲେଣି।

ଅବପାତ ଉତ୍ତର ବାଂଲାଦେଶରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୌସୁମୀ ସଅଳ ଆସିଥିଲେ ବି ଏହାର ବଡ଼ଧରଣର ପ୍ରଭାବ ପଡ଼ିନାହିଁ। କେବଳ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେବା ପରେ ମୌସୁମୀ ରାଜ୍ୟରେ ଏବେ ସକ୍ରିୟ ନାହିଁ। ରଜ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ରଜ ପରେ ପୁନର୍ବାର ମୌସୁମୀ ସକ୍ରିୟ ହୋଇପାରେ। ବଙ୍ଗୋପସାଗରରେ ବାଦଲର ଘନତ୍ୱ ହ୍ରାସ ପାଉଥିବାରୁ ବର୍ଷା କମିଛି। ଲଘୁଚାପ ଦୁର୍ବଳ ହୋଇ ବାଂଲାଦେଶ ଓ ଉତ୍ତର-ପୂର୍ବ ରାଜ୍ୟକୁ ମୁହାଁଇବା ଦ୍ବାରା ରାଜ୍ୟକୁ ଶୁଷ୍କବାୟୁ ପ୍ରବେଶ କରୁଛି। ଏହାଦ୍ବାରା ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯିବ।