ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର । ଉଭୟ ଉଜ୍ଜଳା ଯୋଜନା ଓ ସାଧାରଣ ଉପଭୋକ୍ତା ପାଉଥିବା ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୬୦ ଟଙ୍କା ଦର ବୃଦ୍ଧି କରାଯାଇଛି । ଯାହା ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ହାଣ୍ଡିଶାଳରେ  ମହଙ୍ଗା ମାଡ଼ କରିଛି । ଗ୍ୟାସ ପାଇଁ  ଯଦି ବୁକିଂ କରୁଛନ୍ତି ତେବେ ଗ୍ୟାସ୍ ଆସିବାକୁ ଅଧିକ ଦିନ ଲାଗୁଛି ।

ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସିଧାସଳଖ ପ୍ରଭାବ ଏବେ ପେଟ୍ରୋଲ ଓ ଗ୍ୟାସ୍ ଉପରେ ପଡ଼ିଛି । ବ୍ୟାରେଲ ପିଛା ୯୪.୫୧ ଡଲାର ଛୁଇଁଲା ଅଶୋଧିତ ତୈଳ ଦର। ସେପଟେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କମର୍ସିଆଲ ଗ୍ୟାସ୍ ମୂଲ୍ୟରେ ୧୧୫ ଟଙ୍କା ବୃଦ୍ଧି ଘଟିଛି । ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟଥର  ବୃଦ୍ଧି ଘଟିଛି ।

ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯଥେଷ୍ଟ ପରିମାଣର   ତେଲ ଏବଂ ଗ୍ୟାସ ମହଜୁଦ୍ ଅଛି । ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ । କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ । ଆମ ପାଖରେ ଯଥେଷ୍ଟ ତେଲ ଏବଂ ଗ୍ୟାସ ଅଛି , ଆଦୌ ଅସୁବିଧା ହେବନି । କଳାବଜାରୀ ଉପରେ ନଜର ରଖାଯାଇଛି  ଦରକାର ପଡିଲେ ଆକ୍ସନ ନିଆଯିବ ।