ଡ଼. ଭର୍ଗିସ କୁରିଏଁ ଙ୍କ ୧୦୩ତମ ଜନ୍ମ ବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅଇଁଲାପାଲି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ସହଯୋଗରେ ଅଇଁଲାପାଲି ଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ନିଃ ସମ୍ବଲପୁର ତରଫରୁ ଡ଼ ଭର୍ଗିସ କୁରିଏଁ ଙ୍କ ୧୦୩ ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳନ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କିଷାନ କ୍ରେଡିଟ କାର୍ଡ ଡ଼ାଇରୀ, ଗୁହାଳ ଓ଼ ଘାସ ଚାଷ ନିମନ୍ତେ ଏମ ଜି ଏନ ଆର ଇ ଜି ଏ ପ୍ରଭୁତି ଯୋଜନା କୁ ଉପଲବ୍ଧ କରାଇବା ସହ ବ୍ୟବସ୍ଥିତ କାର୍ଯ୍ୟକାରିତା ଉପରେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୁନଶ୍ଚ ସେ ଜିଲ୍ଲାର ସମସ୍ତ ଦୁଗ୍ଧ ଚାଷୀଙ୍କୁ କେବଳ ଦୁଗ୍ଧ ଉତ୍ପାଦନ ଅଥବା ଦୁଗ୍ଧ ଜାତ ସାମଗ୍ରୀ ଉପରେ ନିଜକୁ କେନ୍ଦ୍ରିତ ନ କରି ଗୋ ସମ୍ପଦ ଜାତ ସମସ୍ତ ପଦାର୍ଥ ର ବିନିଯୋଗ କୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ସେ ଏହି ଅବସରରେ ଅତ୍ୟାଧୁନିକ ପଦ୍ଧତିରେ ଗୋପାଳନ ସହ  ଆଧୁନିକ ଉପକରଣ ବ୍ୟବହାର କରି ଗୁଣବତ୍ତା ଗୋଦୁଗ୍ଧ ଉତ୍ପାଦନ କୁ ଗୁରୁତ୍ୱଦେବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମ୍ବଲପୁର ଆଞ୍ଚଳିକ ଦୁଗ୍ଧ ସଙ୍ଘ ଜି ଏମ ଓମଫେଡ଼ ସରୋଜ କୁମାର ସାହୁ, ପ୍ଲାଣ୍ଟ ପରିଚାଳକ ସୋନପୁର ଡ଼ାଇରୀ ପ୍ଲାଣ୍ଟ ନିତିନ ଦେଶମୁଖ ଯୋଗଦାନ କରିଥିବାବେଳେ ସଂଜୀବ ଶତପଥି ପି ଏନ ଆଇ ସଭାରେ ସଭାପତିତ୍ୱ କରିଥିଲେ। ସମାରୋହରେ ଅଂଚଳର ୨୫୦ ଜଣ ଦୁଗ୍ଧ ଚାଷୀ ଯୋଗଦାନ କରିଥିବା ବେଳେ ସଫଳ ଦୁଗ୍ଧ ଚାଷୀଙ୍କୁ ପୁରସ୍କାର, ମାନପତ୍ର ତଥା ଉପଢୌଙ୍କନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାରେ ଚାଷୀଙ୍କୁ ଗୋପାଳନ ମାଧ୍ଯମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜ ର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ।