ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ତା ଏବଂ ଦୁର୍ନୀତି ନିବାରଣ ଶାଖା ଉପ-ଆରକ୍ଷୀ ଅଧିକ୍ଷକ ଶିଶିର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତବର୍ଷର ବିଷୟ ବସ୍ତୁ “ସ୍ୱତନ୍ତ୍ର ଭାରତ @ ୭୫: ସତ୍ୟନିଷ୍ଠାରୁ ଆତ୍ମ ନିର୍ଭରତା” ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା ।
ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିବା ସହିତ ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଗୋପବନ୍ଧୁ ସ୍ମୃତି ଉଚ୍ଚବିଦ୍ୟାଳୟର ସ୍ୱାଗତିକା ସାହୁ ପ୍ରଥମ, ସରକାରୀ ଉଚ୍ଚବିଦ୍ୟାଳୟ, କଣାସର ସ୍ୱସ୍ତିକା ବଳିୟାରସିଂ ଦ୍ୱିତୀୟ ଓ ପୁରୀ ଜିଲ୍ଲା ସ୍କୁଲର ଲକ୍ଷ୍ମୀପ୍ରିୟା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବକ୍ତୃତା ପ୍ରତିଯୋଗିତାରେ ପୁରୀ ଜିଲ୍ଲା ସ୍କୁଲର ଅଂଶୁମାନ ସ୍ୱାଇଁ ପ୍ରଥମ, କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱାତିଶ୍ରୀ ରାଉତ ଦ୍ୱିତୀୟ ଏବଂ ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଲୋପାମୁଦ୍ରା ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ବିଭିନ୍ନ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।