ଗଞ୍ଜାମ(ହର ପ୍ରସାଦ ବିଶୋୟୀ): ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ଦେଇ କଳିଙ୍ଗପଟ୍ଟନମ ନିକଟରେ ଏହି ସ୍ଥଳଭାଗ ଅତିକ୍ରମ କରିପାରେ ।
ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାଣିପାଗ ବିଭାଗ ଓ ଏସଆରସିଙ୍କ ସୂଚନା କ୍ରମେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆସନ୍ତାକାଲି ଏହା ଆହୁରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆଜିଠୁ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ତେବେ ଆସନ୍ତାକାଲି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏଭଳି ସ୍ଥିତିର ମୁକାବିଲା ପାଇଁ ବ୍ଲକ ସ୍ତରରେ ଟିମ ଗଠନ ହୋଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଖାଲୁଆ ଅଞ୍ଚଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ପ୍ରଶାସନ । ରାସ୍ତା ସଫେଇ ଠାରୁ ଆରମ୍ଭ କରି ଉଦ୍ଧାର କାର୍ୟ୍ୟକୁ କିଭଳି ତ୍ୱରାନିତ୍ୱ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ପାନୀୟ ଜଳର ଯେପରି କୌଣସି ସମସ୍ୟା ନଦେଖା ଦିଏ ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ପାହାଡିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପ୍ରସ୍ତୁତି ଚାଲିଥିବା ସମୟରେ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ ଆଗୁଆ କ୍ଷୟକ୍ଷତିର ଆକଳନ କରାଯାଉଛି । ଚାଳଘର ଗୁଡିକୁ ଚିହ୍ନଟ କରାଯାଇ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଟିମ ପ୍ରସ୍ତୁତ ରହିଛି । ଉଦ୍ଧାର କାର୍ୟ୍ୟକୁ ତ୍ୱରାନିତ୍ୱ କରିବାକୁ ଗଞ୍ଜାମକୁ ଏନଡିଆରଏଫ ଓ ଏସଡିଆରଏଫ ଟିମ ଆସିବ । ଏହାଛଡା ପ୍ରବଳ ବର୍ଷା କାରଣରୁ ବନ୍ୟା ସମ୍ଭାବନା ରହିଛି, ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।