ବୁଡ଼ି ଅଞ୍ଚଳ ସଙ୍ଗଠନକୁ ନନ୍ଦପୁର ବିସ୍ଥାପିତ ପରିଷଦରେ ପରିଣତ କରିବାକୁ ଆଲୋଚନା

କୋରାପୁଟ : ନନ୍ଦପୁର ବ୍ଲକର ୧୦ଟି ପଞ୍ଚାୟତବାସୀ ଜଲାପୁଟ ଜଳଭଣ୍ଡାର ଦ୍ୱାରା ବିସ୍ଥାପିତ ହୋଇଛନ୍ତି । ବିଦ୍ୟୁତ୍ ଉତ୍ପାଦନ ପାଇଁ ନିଜ ଜମି ଦେଇ ଆଜି ଜଳ ଘେରରେ କାଳାତିପାତ କରୁଛନ୍ତି । ବିଦ୍ୟୁତ୍ ସହ ପାରିପାର୍ଶ୍ବକ ଉନ୍ନତିରେ ଜଳଭଣ୍ଡାର କର୍ତ୍ତୃପକ୍ଷ , ଜିଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ଉପେକ୍ଷା କରାଯାଉଛି । ତେଣୁ ୧୦ଗ୍ରାମପଞ୍ଚାୟତବାସୀଙ୍କୁ ନେଇ ଗଠିତ ବୁଡ଼ି ଅଞ୍ଚଳ ସଙ୍ଗଠନ ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇ କର୍ତ୍ତୃପକ୍ଷ, ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କେହି କଣ୍ଠପାତ କରୁ ନ ଥିବାବେଳେ ଓଲଟା ବ୍ରିଟିଶ ନିୟମ ପ୍ରୟୋଗ କରି ସଙ୍ଗଠନକୁ ଦୁଇ ଭାଗ କରିବାରେ ସଫଳ ହୋଇଛନ୍ତି । ତେଣୁ ପୁରୁଣା ବୁଡ଼ି ଅଞ୍ଚଳ ସଙ୍ଗଠନକୁ ନବକଳେବର କରାଯିବ । ଏହାର ନାମକରଣ ନନ୍ଦପୁର ବିସ୍ଥାପିତ ପରିଷଦ ରୂପେ ଗଢ଼ିବାକୁ ଆଜି ୧୧ଟି ପଞ୍ଚାୟତବାସୀ, ୮ସରପଞ୍ଚ ବୁଦ୍ଧିଜୀବୀ ନନ୍ଦପୁର ଭେଜା ପଞ୍ଚାୟତର ରାଜ୍ୟ ରାଜପଥ କଡ଼ରେ ଥିବା ପଥପ୍ରାନ୍ତ ସେବାକେନ୍ଦ୍ରରେ ଏକତ୍ରିତ ହୋଇ ଏକ ବୈଠକ ଆୟୋଜନ କରିଛନ୍ତି ।

ଆଗାମୀ ଦିନରେ ଏହି ପରିଷଦର ୨୩ ପଞ୍ଚାୟତର ସରପଞ୍ଚ, ଲୋକପ୍ରତିନିଧ୍ , ବୁଦ୍ଧିଜୀବୀଙ୍କୁ ନେଇ ପୂର୍ଣ୍ଣ ରୂପରେ ଗଠନ କରାଯିବ । ପାଡୁଆରେ ନୂଆ ବ୍ଲକ ସ୍ଥାପନ ସହ ନନ୍ଦପୁର ବ୍ଲକବାସୀଙ୍କ ବିଭିନ୍ନ ବିସ୍ଥାପିତ ଜନିତ ସମସ୍ୟା ଏପିଜେନକୋ କର୍ତ୍ତୃପକ୍ଷ, ମାଇନର ଇରିଗେସନ ବିଭାଗ, ରେଳବାଇ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ , ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଉପସ୍ଥିତ ସରପଞ୍ଚ ପାନ୍ଥଲୁଙ୍ଗ ପୂଜା ଖୁଲ , ନନ୍ଦପୁର ବ୍ଲକ ଉପାଧ୍ୟକ୍ଷ ଗୋପାଳ ହନ୍ତାଳ, ବାଡେଲ ସରପଞ୍ଚ ତୁଳା ହଂସା ପ୍ରମୁଖ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତଣ୍ଡା ସରପଞ୍ଚ ସହଦେବ ପାଙ୍ଗି, ସରପଞ୍ଚ ନନ୍ଦକା ରେଲି ଶିଶା, ପାଡୁଆ ସମିତି ସଭ୍ୟ ନୀଳକଣ୍ଠ ମାଝି, ସରପଞ୍ଚ ରାଇସିଂ ଜଗବନ୍ଧୁ ଚେଟି, ପାନ୍ଥଲୁଙ୍ଗ ସମିତିସଭ୍ୟ ସାବିତ୍ରୀ ଖେମୁଣ୍ଡ ପ୍ରମୁଖଙ୍କ ସହ ୨୦୦ରୁ ଉର୍ଦ୍ଧ୍ବ ଗ୍ରାମର ମୁଖ୍ୟ ଉପସ୍ଥିତ ଥିଲେ।