( ଜୟନ୍ତ କୁମାର ସେଠୀ) : ଗତକାଲି ରାତିରେ ପୁରୀ ଜିଲ୍ଲା ନିମାପଡାରେ ଅପମିଶ୍ରିତ ଡିଜେଲକୁ ନେଇ ପାଓନିୟର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ଫଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିସ୍ଥିତ ଏପରି ସଙ୍ଗୀନ ହୋଇଯାଇଥିଲା ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ଅପମିଶ୍ରିତ ଡିଜେଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଅପମିଶ୍ରିତ ଡିଜେଲକୁ ପକାଇ କିଛି ବାଟ ଗାଡି ଯିବାପରେ ଗାଡିଟି ଖରାପ ହୋଇଯିବାରୁ ଏହି ଘଟଣାର ଫର୍ଦ୍ଦାଫାସ ହୋଇଥିଲା । ଘଟଣାଟି ଲୋକଲୋଚନକୁ ଆସିବା ପରେ ପେଟ୍ରୋଲ ପମ୍ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଯୋଗାଣ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ୧୪ ବ୍ୟାରେଲ ଅପମିଶ୍ରିତ ଡିଜେଲ ଜବତ କରିବା ସହିତ ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଇ ଥିବା ଜଣାପଡିଛି। ଏଥିସହିତ ଯୋଗାଣ ବିଭାଗ ପକ୍ଷରୁ ଟାଙ୍କିର ୨ ଟି ଡିଜେଲ ନୋଜଲକୁ ସିଲ୍ କରାଯାଇଛି । ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି କରାଯାଇଛି ।