ମହାକୁମ୍ଭକୁ ଆସିଗଲେ କି ତ୍ରେତୟାର ପର୍ଶୁରାମ ?

0

ବ୍ୟୁରୋ : ବଳିଷ୍ଠ ଶରୀର, ଶକ୍ତିଶାଳୀ ବାହୁ, ମୁଖରେ ଚନ୍ଦ୍ରମା ପରି ତେଜ ପାଇଁ ସାଧୁ ଜଣଙ୍କ କୁମ୍ଭ ଯାତ୍ରାରେ ପ୍ରସିଦ୍ଧି ଲାଭ କରିଛନ୍ତି । ‘ମସ୍କୁଳାର ବାବା’ ନାମରେ ଜନମାନସରେ ପରିଚିତ ହୋଇଛନ୍ତି । ୭ ଫୁଟ ଲମ୍ବର ଶରୀରରେ ଗେରୁଆ ବସ୍ତ୍ର ଗଳାରେ ରୁଦ୍ରାକ୍ଷ ମାଳା ଧାରଣ କରିଥିବା ବାବା । ଯେ ଦେଖୁଛନ୍ତି ସେ କହୁଛନ୍ତି, ଆସିଗଲେ କି ତ୍ରେତୟାର ଭଗବାନ ପର୍ଶୁରାମଙ୍କ ଆଧୁନିକ ଯୁଗର ପ୍ରତିଛବି ।


ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ହୋଇଛି ମେଳ । କେଉଁ ବାବା ମୁଣ୍ଡରେ ଚାଷ କରିଛନ୍ତି ତ କେଉଁ ବାବା ନିଜ ହାତକୁ ଅନେକ ବର୍ଷ ହେଲାଣି ଛିଡ଼ା କରି ସାଧନା କରୁଛନ୍ତି । କେଉଁ ବାବା ଆଇଆଇଟି ପାଠ ଛାଡ଼ି ସନ୍ନ୍ୟାସ ହୋଇଛନ୍ତି ତ ଆଉ କିଏ ଗ୍ଲାମରସ୍ ଲାଇନ୍ ଛାଡ଼ି ମୁଣ୍ଡରେ ଭସ୍ମ ଲଗାଇ ହର ହର ମହାଦେବ ନାମ ନେଇ ମହାକୁମ୍ଭର ଆନନ୍ଦ ନେଉଛନ୍ତି ।

କେବଳ ଭାରତରୁ ନୁହେଁ ବିଦେଶରୁ ମଧ୍ୟ ଭକ୍ତ , ସାଧୁ ମହାକୁମ୍ଭକୁ ଆସିଛନ୍ତି ଏବଂ ତମ୍ବୁ ଟାଣି ଶିବିରରେ ରହୁଛନ୍ତି । ଭାରତ ଭୂମିରେ ବିଦେଶୀ ଭକ୍ତଙ୍କ ଆଖିର ଲୋତକ ହିଁ କହୁଛି ଆଧ୍ୟାତ୍ମିକ ମାର୍ଗ ତାଙ୍କ ଜୀବନକୁ କେମିତି ପରିବର୍ତ୍ତନ କରିଛି । ଏହି ସାଧୁଙ୍କ ମଧ୍ୟରେ ରହିଛନ୍ତି ବିଦେଶରୁ ଆସିଥିବା ଜଣେ ବାବା ଆତ୍ମ ପ୍ରେମ ଗିରି ମହାରାଜ ।

ଋଷରୁ ଆସିଥିବା ପ୍ରେମ ଗିରି ମହାରାଜ ୩୦ ବର୍ଷ ତଳେ ସନାତନ ଧର୍ମକୁ ଆପଣାଇଥିଲେ । ଏହା ପରଠାରୁ ସେ ସନାତନ ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । ଶିକ୍ଷକତା ଛାଡ଼ି ସେ ଆଧ୍ୟାତ୍ମିକ ମାର୍ଗର ପଥିକ ସାଜିଲେ । ବର୍ତ୍ତମାନ ସେ ନେପାଳରେ ରହୁଛନ୍ତି ଏବଂ ହିନ୍ଦୁ ଧର୍ମର ପ୍ରଚାର କରୁଛନ୍ତି ।

ହିନ୍ଦୁ ସନ୍ଥଙ୍କ ପ୍ରମୁଖ ସଂଗଠନ ଜୁନା ଆଖଡାର ମସ୍କୁଲାର୍ ବାବା ସଦସ୍ୟ ଅଛନ୍ତି । ମହାକୁମ୍ଭକୁ ଆସୁଥିବା ଅନେକ ଭକ୍ତ ବାବାଙ୍କୁ ଦେଖିବା ପାଇଁ ତାଙ୍କ ଶିବିରକୁ ଆସୁଛନ୍ତି ଏବଂ ଆଶିର୍ବାଦ ମଧ୍ୟ ନେଇ ଯାଉଛନ୍ତି ।