ସାଲେପୁର/ (ଜ୍ୟୋତ୍ସାରାଣୀ ସିଂ) ;-ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କ ଉପରେ ଛୁରାମାଡ଼ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ କେରିଲୋ ଗ୍ରାମ ପଂଚାୟତ ବାହାରବମ୍ଫୁ ଗାଁର ଜଣେ ଦିବ୍ୟାଙ୍ଗ ଯୁବକ ଉପରେ ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । କିଛି ଦିନ ହେଲା ବାହାର ବମ୍ଫୁ ଗ୍ରାମର ଗିରିଜା ସାମଲଙ୍କ ଦିବ୍ୟାଙ୍ଗ ପୁତ୍ର ମହିମା ଅଲେଖ ସାମଲଙ୍କ ସହ ସ୍ଥାନୀୟ ଗାଁର ରାକେଶ ପଣ୍ଡାଙ୍କର ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଦିବ୍ୟାଙ୍ଗ ମହିମା ଅଲେଖ ସାମଲ ସ୍ଥାନୀୟ ଗ୍ରାମରେ ଏକ ଭୋଜି ଉତ୍ସବରେ ଉପସ୍ଥିତ ଥିବା ବେଳେ ସେହି ଗ୍ରାମର ଜନୈକ ଯୁବକ ତାଙ୍କୁ ଯୋଜନାବଦ୍ଧ ଭାବେ ବାହାରବମ୍ଫୁ ପ୍ରାଥମିକ ବିଦ୍ୟାଳୟ ନିକଟକୁ ମହିମା ଅଲେଖଙ୍କୁ ଡାକି ଆଣିଥିଲା।
ପୂର୍ବରୁ ଏହି ସ୍ଥାନରେ ସ୍ଥାନୀୟ ଗାଁର ରାକେଶ ପଣ୍ଡା ଓ ରାଜେଶ୍ ପଣ୍ଡା ଯୋଜନାବଦ୍ଧ ଭାବେ ଅପେକ୍ଷାରେ ଥିଲେ । ମହିମା ଅଲେଖ ସାମଲ ସ୍ମୁଲ ନିକଟରେ ପହଂଚିବା କ୍ଷଣି ରାକେଶଙ୍କ ସହ ତାଙ୍କର ବାକ୍ ବିତଣ୍ଡା ହୋଇଥିଲା । ଏଥିରେ ପ୍ରତିହିଂସା ପରାୟଣ ହୋଇ ରାକେଶ ଓ ରାଜେଶ୍ ଦିବ୍ୟାଙ୍ଗ ମହିମା ଅଲେଖଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ । ଫଳରେ ମହିମା ଅଲେଖ ଗୁରୁତର ଭାବେ ଆହାତ ହୋଇ କରୁଣ ଚିତ୍କାର କରୁଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରେ ଅବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ଘଟଣାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ମହିମା ଅଲେଖଙ୍କ ପରିବାର ପକ୍ଷରୁ ନେମାଳ ଥାନାରେ ଲିଖିତ ଏତଲା ପରେ ନେମାଳ ଥାନା ପୋଲିସ ୧୨୦/୨୨ରେ ମାମଲାରୁଜୁ କରି ୩୪୧,୨୪୯,୩୨୩,୩୨୪,୩୦୭,୩୦୭,୩୫୪,୫୦୬ ଓ ୩୪ ଧାରାରେ ମାମଲା କରି ଅଭିଯୁକ୍ତ ରାକେଶ ଓ ରାଜେଶ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ଅଭିଯୁକ୍ତ ଙ୍କ ବେଲ୍ କୋର୍ଟ ରେ ଖାରଜ ହେବାରୁ ଉଭୟ ଙ୍କୁ ଜେଲ୍ ପଠାଇଛି ନେମାଳ ପୋଲିସ।