ଭଦ୍ରକ-: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହେଲଣି । ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ପରିସ୍ଥିତିର ମୁକାବିଲା ଲାଗି ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି ।
ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଗତକାଲି ଝାଡ଼ାବାନ୍ତିରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ୧୧ ହଇଜା ରୋଗୀ ଚିହ୍ନଟ ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଆହୁରି ୨ଶହ ସାମ୍ପୁଲ ପରୀକ୍ଷା ପାଇଁ ଯାଇଛି ।