୮୯ ବର୍ଷ ବୟସରେ ପରଲୋକରେ ବଲିଉଡର ହି-ମ୍ୟାନ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ର

Dharmendra Deol Death: ବଲିଉଡରୁ ଆସିଲା ବଡ଼ ଦୁଃଖଦ ଖବର । ପରଲୋକରେ ବଲିଉଡର ହି-ମ୍ୟାନ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହି-ମ୍ୟାନ । ଗତ କିଛି ଦିନ ଧରି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବରିଷ୍ଠ ଅଭିନେତାଙ୍କ ମୃତ୍ୟୁକୁ ନେଇ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବବି ଦେଓଲଙ୍କ ପିଆର ଟିମ୍ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଘୋଷଣା କରିଛି।

ଧର୍ମେନ୍ଦ୍ର ୩୧ ଅକ୍ଟୋବର, ୨୦୨୫ରେ ନିୟମିତ ଚେକଅପ୍ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା, ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ସେ ଅନେକ ଦିନ ଧରି ICU ରେ ଥିବାବେଳେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ହେମା ମାଳିନୀ, ସନି ଦେଓଲ, ଏଶା ଦେଓଲ ଏବଂ ତାଙ୍କ ନାତି କରଣ ଦେଓଲ ଏବଂ ରାଜବୀର ଦେଓଲ ତାଙ୍କୁ ହସ୍ପିଟାଲରେ ଭେଟିଥିଲେ।

ଧର୍ମେନ୍ଦ୍ର ତାଙ୍କ ଜୀବନରେ ଦୁଇଥର ବିବାହ କରିଥିଲେ। ସେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି: ସନି ଦେଓଲ, ବବି ଦେଓଲ, ବିଜେତା ଦେଓଲ ଏବଂ ଅଜିତା ଦେଓଲ । ଦିବଂଗତ ଅଭିନେତା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ୧୯୮୦ ମସିହାରେ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଏହି ଦ୍ୱିତୀୟ ବିବାହ ପାଇଁ ଧର୍ମେନ୍ଦ୍ର ଇସଲାମ ଧର୍ମ ଗ୍ରହଣ କରିଥିଲେ। ହେମା ମାଳିନୀଙ୍କ ସହିତ ତାଙ୍କର ଦୁଇଟି ଝିଅ ଅଛନ୍ତି ଇଶା ଦେଓଲ ଏବଂ ଆହାନା ଦେଓଲ।

ଧର୍ମେନ୍ଦ୍ର ୧୯୬୦ ମସିହାରେ ପ୍ରଥମ ଥର ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ପୂରା ନାମ ହେଉଛି ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ। ସେ ୮ ଡିସେମ୍ବର ୧୯୩୫ ମସିହାରେ ପଞ୍ଜାବର ନସରାନି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ଦିଲ୍ ଭି ତେରା ହମ୍ ଭି ତେରେ” ସହିତ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ୧୯୬୧ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ବୟ ଫ୍ରେଣ୍ଡ” ରେ ଏକ ସହାୟକ ଭୂମିକାରେ ଅଭିନୟ କରିଥିଲେ।

ଧର୍ମେନ୍ଦ୍ର ତାଙ୍କର ୬୫ ବର୍ଷର ଅଭିନୟ କ୍ୟାରିୟରରେ ଅନେକ ହିଟ୍, ସୁପରହିଟ୍ ଏବଂ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ର ତାଲିକାରେ ଶୋଲେ (୧୯୭୫), ଚୁପକେ ଚୁପକେ (୧୯୭୫), ସୀତା ଔର ଗୀତା (୧୯୭୨), ଧରମଭୀର (୧୯୭୭), ଫୁଲ ଔର ପଥର୍ (୧୯୬୬), ଜୁଗନୁ (୧୯୭୩), ଏବଂ ୟାଦୋଁ କି ବାରାତ୍ (୧୯୭୩) ଅନ୍ତର୍ଭୁକ୍ତ । ନିକଟରେ ତାଙ୍କର ରିଲିଜ୍ ହୋଇଥିବା ଫିଲ୍ମ ହେଉଛି ରକି ଔର ରାନୀ କି ପ୍ରେମ କାହାନି (୨୦୨୩) ଏବଂ ତେରି ବାତୋଁ ମେଁ ଐସା ଉଲଝା ଜିଆ (୨୦୨୪) ।

ତେବେ ତାଙ୍କ ମୃତ୍ୟୁ ପରେ, ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ “ଇକ୍କିସ୍” ଚଳିତ ବର୍ଷ ମୁକ୍ତିଲାଭ କରିବ। ଅଭିନେତା ଅଗସ୍ତ୍ୟ ନନ୍ଦଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଧର୍ମେନ୍ଦ୍ର । ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ “ଇକ୍କିସ୍” ସହିତ ବଲିଉଡରେ ଡେବ୍ୟୁ କରିବେ। ଏହି ଫିଲ୍ମଟି ଡିସେମ୍ବର ୨୫,୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ।