ପବିତ୍ର ମହାଳୟା: ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ଵରୀ

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ଶନିବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥାଏ ।

ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମାଆ ସମଲେଶ୍ୱରୀ କେବଳ ମହାଳୟାରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା ଗୟା ରେ ସ୍ନାନ କରିବାର ନୀତି ନିୟମ ରହିଛି, ହେଲେ ଯେଉଁ ମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତିନାହିଁ ସେମାନେ ପିତୃପୁରୁଷ ପିଣ୍ଡ ଦାନ ପରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇଥାନ୍ତି । ବର୍ଷରେ ଥରେ ମାଆ ଧବଳମୁଖୀରେ ଦର୍ଶନ ଦେଉଥିବାରୁ ଦର୍ଶନ କରିବା ପାଇଁ ହଜ଼ାର ହଜ଼ାର ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହି ରୂପରେ ମାଆ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ।

ମନ୍ଦିର ପରିସରରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯାଇ ଧାଡି ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ମଧ୍ୟ କରାଯାଇଛି l ଦୁଇ ଦିନ ଧରି ଏହି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା’ ।