(ଭୁବନେଶ୍ୱର) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଆତଙ୍କ ଖେଳାଉଛି ଡେଙ୍ଗୁ ରୋଗ । ବେଗୁନିଆ ବ୍ଲକ ବଡବେରଣା ଗ୍ରାମରେ ତିନି ଦିନରେ ତିନିଜଣ ଡେଙ୍ଗୁରୋଗରେ ପୀଡିତ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ବଡ଼ବେରଣା ଗ୍ରାମରେ ପ୍ରଥମେ ନିଖିଳ ବିହାରୀ ମହାପାତ୍ର ପରେ ପରେ ରେଣୁବାଳା ବାରିକ ଏବଂ ଆଜି ଅବିନାଶ ମହାପାତ୍ରଙ୍କ ଠାରେ ଏହି ମାରାତ୍ମକ ଡେଙ୍ଗୁ ରୋଗର ଭୁତାଣୁ ଦେଖାଦେଇଛି । ସେମାନଙ୍କ ଠାରେ ଏହି ରୋଗର ଭୁତାଣୁ ଦେଖାଯିବା ପରେ ସେମାନଙ୍କୁ ଭୁବନେଶ୍ୱର ରାଜଧାନୀ ଚିକିତ୍ସାଳୟର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କି ଡାକ୍ତରଙ୍କର ଦେଖାନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଏବଂ ଡେଙ୍ଗୁ ରୋଗକୁ ନେଇ କୌଣସି ସଚେତନତା କାର୍ୟ୍ୟକ୍ରମ ମଧ୍ୟ କରାଯାଉନାହିଁ । ଗ୍ରାମରେ ଏହି ରୋଗ ବ୍ୟାପିବା ପରେ ଆତଙ୍କିତ ହୋଇପଡିଛି ଗ୍ରାମବାସୀ ।