ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ସହ ଗରମ ବଢ଼ୁଥିବା ବେଳେ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଷ୍ଟାର୍ଟ-ଅପ୍। ଶ୍ରୀମନ୍ଦିର ପରିସରରେ ମିଳୁଥିବା ଟଙ୍କତୋରାଣି ଏବେ ଭୁବନେଶ୍ୱର ବଜାରରେ ଏହାର ଉପଲବ୍ଧତା ବେଶ ଉତ୍ସାହ ସୃଷ୍ଟି କରିଛି।
ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ଦର୍ଶନ ସାଙ୍ଗକୁ ଅବଢ଼଼ା ଖାଇବା ଓ ଟଙ୍କ ତୋରାଣି ପିଇବାକୁ ଭୁଲନ୍ତିନି । ପ୍ରତି ଓଡ଼ିଆଙ୍କର ପଖାଳ ଓ ତୋରାଣି ସହିତ ସମ୍ପର୍କ ରହିଛି। ହେଲେ ସହରରେ ଅନେକ ଲୋକ ତୋରାଣିରୁ ଦୂରେଇ ରହୁଥିବାବେଳେ ଏବେ ସହରବାସୀଙ୍କୁ ଏହି ତୋରାଣିର ସ୍ୱାଦ ଚଖାଇବା ଲକ୍ଷ୍ୟରେ ରାଜଧାନୀର ମହାବୀର ବିଶ୍ୱାଳ(ପ୍ରତିଷ୍ଠାତା), ରାଜକୁମାର ରାଉତ ଏବଂ ଆର୍ କେ ମିଶ୍ର ମିଳିତି ଭାବରେ ପ୍ରୟାସ ଆରମ୍ଭ କରିଛନ୍ତି। ବିଶେଷ କରି ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିମାନେ ମୃଦପାନୀୟଠାରୁ ଦୂରେଇ ରହୁଥିବାବେଳେ ଟଙ୍କ ତୋରାଣି ପ୍ରତି ସେମାନଙ୍କ ଆଗ୍ରହ ବଢ଼଼ୁଥିବା ଦେଖିବାକୁ ମିଳିଛି। ଷ୍ଟାର୍ଟଅପ୍ ନିର୍ମାତାଙ୍କ କହିବା ଅନୁଯାୟୀ, ସେମାନଙ୍କ ଦ୍ୱାରା ୬ ପ୍ରକାର ପାନୀୟ ପ୍ରସ୍ତୁତ ହେଉଥିବାବେଳେ ଟଙ୍କ ତୋରାଣି ମୁଖ୍ୟ ଆକର୍ଷଣ ପାଲଟିଛି।