ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ସକାଳୁ ସକାଳୁ ଭାରି ବର୍ଷା । ନୋଏଡ଼ା, ଗୁରୁଗ୍ରାମ ଅଞ୍ଚଳରେ ବି ତୁହାକୁ ତୁହା ବର୍ଷା । ବର୍ଷା ଯୋଗୁଁ ସହରର ବିଭିନ୍ନ ଗଳିକନ୍ଦିରେ ଜମିଲା ପାଣି । ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀର ମୋତି ବାଗ ଅଞ୍ଚଳର ମିଣ୍ଟୋ ରୋଡରେ ପାଣି ଜମି ରହିଛି। ଆଜି ସକାଳେ ମଧ୍ୟ ବର୍ଷା ହେଉଛି। ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ଆହୁରି ବର୍ଷା ହେବାର ପୂର୍ବାନୁମାନ କରିଛି। ସେପଟେ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତରାଖଣ୍ଡରେ ବାହାରକୁ ନଯିବାକୁ ଲୋକଙ୍କୁ ଅପିଲ୍ କରିଛି ପ୍ରଶାସନ । ଉତ୍ତରକାଶୀର ହର୍ଷୀଲକୁ ଖାଲି କରାଯାଉଛି । ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି, ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୪ ପର୍ଯ୍ୟନ୍ତ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛି।