ବ୍ୟୁରୋ-: ୱାକଫ୍ ବିଲ୍ ଗୃହୀତ ହେଲା ପରେ ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିସ୍ଫୋରକ ବୟାନବାଜି । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା । ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ । ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି । ବର୍ତ୍ତମାନ ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ନାଁ ନନେଇ କହିଲେ ସସ୍ମିତ ନିଷ୍ପତ୍ତି ବଦଳାଇବା ପଛରେ, ମୁଖ୍ୟ ପରାମର୍ଶଦାତା ଅଛନ୍ତି ।
ରାଜ୍ୟସଭାରେ ୱାକଫ୍ ବିଲ୍ ଗୃହୀତ ହେବାକୁ ୨ଦିନ ହୋଇସାରିଥିବା ବେଳେ ଏହାକୁ ନେଇ ବିଜେଡି ରେ କମ୍ପନ ସୃଷ୍ଟି ହେଉଛି। ସମର୍ଥନ ପ୍ରସଙ୍ଗରେ ଜଣଙ୍କ ପରେ ଜଣେ ନେତା ବିସ୍ଫୋରକ ବୟାନ ଦେବାରେ ଲାଗିଛନ୍ତି। ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରି ନାହାନ୍ତି। ସେ କହିଛନ୍ତି, ମୁଁ ବୁଝିପାରିଲି ନାହିଁ ସଂସଦରେ କ’ଣ ହେଲା । ସେଥିପାଇଁ ମୁଁ ଭୋଟ ଦେଲିନି । ବିଲ୍କୁ ବିରୋଧ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ । ଶଙ୍ଖ ଭବନରେ ଏନେଇ ବିସ୍ତୃତ ଆଲୋଚନା ମଧ୍ୟ ହୋଇଥିଲା । ରାଜ୍ୟସଭା ଆଲୋଚନାରେ ମଧ୍ୟ ମୁନ୍ନା ଖାନ କହିଥିଲେ ବିଜେଡି ଏହି ବିଲ୍କୁ ସମର୍ଥନ କରିବ ନାହିଁ । କିନ୍ତୁ କିଛି ଘଣ୍ଟା ପରେ ନିଷ୍ପତ୍ତି ବଦଳି ଯାଇଥିଲା ।
ସେ ଆହୁରି କହିଛନ୍ତି ଯେ, ଦୁଇ ଦୁଇଟି ମିଟିଂରେ ନବୀନ ବିଲ୍କୁ ବିରୋଧ କରିବୁ କହିଲେ। ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା । ସଂଧ୍ୟା ସାଢ଼େ ୬ଟାରେ ସସ୍ମିତଙ୍କ ଏକ୍ସ ପୋଷ୍ଟରୁ ଜାଣିଲି ଦଳର ହ୍ୱିପ୍ ନାହିଁ । ସବୁ ନେତା ମତେ ଫୋନ୍ କରିଛନ୍ତି କିନ୍ତୁ ମୁଁ କାହା ସହ କଥା ହୋଇନି । ଏନେଇ କିଏ ପରାମର୍ଶ ଦେଲା କହିପାରିବିନି । ନବୀନଙ୍କ ଉପରେ ପରାମର୍ଶଦାତା ଥିଲେ ଜାଣିନି । ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି । ତେବେ କିଏ ସେ ମୁଖ୍ୟ ପରାମର୍ଶଦାତା, ନାଁ କହିଲେନି ଦେବାଶିଷ । ମୁଖ୍ୟ ପରାମର୍ଶଦାତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।