କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା

କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଗତାକାଲି ଅଗ୍ନିକାଣ଼୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଦାବି କରାଯାଇଛି । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।

ଅଗ୍ନିକାଣ୍ଡ ପରେ ଆଇସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା । ଏସସିବି ଆଗରେ କାନ୍ଦବୋବାଳି ସହ ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଖୋଜୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ମୋ ବାପା ଆଇସିୟୁରେ ଥିଲେ, ରାତିରେ ହସ୍ପିଟାଲରେ ନିଆଁ ଲାଗିଗଲା ପରେ ମୋ ବାପାଙ୍କୁ ମୁଁ ଆଉ ପାଉ ନାହିଁ ।

ଏହି ଘଟଣାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ ହୋଇଛି । ଦଳରେ ଅଗ୍ନିଶମ ଆଇଜି, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି, ଗୃହ ନିର୍ମାଣର ମୁଖ୍ୟ ଯନ୍ତ୍ରୀ, ମେଡ଼ିକାଲ ଏଜୁକେଶନ ଏବଂ ଟ୍ରେନିଂ ନିର୍ଦ୍ଦେଶ ସାମିଲ ରହିଛନ୍ତି । ଜାତୀୟ ମାନବାଧିକାର କମିଶନ (NHRC) ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣା ସମ୍ପର୍କିତ ସବିଶେଷ ଆକ୍ସନ ଟେକନ ରିପୋର୍ଟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।