କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳରୁ ଉଦ୍ଧାର ହେଲା ନୟାଗଡ ଜିଲ୍ଲାର ନିଖୋଜ ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗାଁର ବିପ୍ରବର ନାୟକଙ୍କ ୧୭ ବର୍ଷିୟା ଝିଅ ତୁଳସୀ । ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସୂଚନା ଅନୁସାରେ କୌଣସି କାରଣରୁ ପରିବାରରେ ଗୋଣ୍ଡଗୋଳ ହେବାରୁ, ଗତ ଗୁରୁବାର ବିପ୍ରବର ତୁଳସୀଙ୍କୁ ଗାଳି ଗୁଲଜ ସହ ମାରପିଟ୍ କରିଥିଲେ ।
ପରେ ତୁଳସୀ କେଉଁ ଆଡେ ଘର ଛାଡି ଚାଲି ଯାଇଥିଲେ ।ନିଖୋଜ ପରେ ତୁଳସୀଙ୍କ ମାମୁଁ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲା ପରେ ପୋଲିସ ବହୁ ଖୋଜାଖୋଜି କରିବା ପରେ, ତଳଦଣ୍ଡିକିଆ ପଞ୍ଚାୟତ ଯୋକେ ଗାଁ କାରାଡା ଜଙ୍ଗଲରୁ ତୁଳସୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉଦ୍ଧାର କାର୍ଯ୍ୟ ବେଳେ ସେଠାରେ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସହ ଏସଡିପିଓ ସେଂହସିଶ ସାହୁ ,ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଏବଂ ଫୁଲବାଣୀ ସାଇଣ୍ଟଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଥିଲା। ପରେ ପୋଲିସ କେସ୍ ନମ୍ବର ୧୮୬/୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।