ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା ଅନୁଷ୍ଠିତ
ରାଜ୍ୟର ୩୦ଟି ଜିଲ୍ଲାରୁ ୪୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କ ଅଂଶଗ୍ରହଣ
ରାଉରକେଲା: ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା,କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସଭାପତି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, ଏଆଇଟି ର ପ୍ରଫେସର ଡଃ ରାମକୃଷ୍ଣ ବିଶ୍ୱାଳ ଓ ଆପେଲ ଓଡିଶା ଶାଖାର ସଭାପତି ଉମେଶ କୁମାର ନାୟକ ଅନ୍ୟତମ ବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଓଡିଶା ରାଜ୍ୟ ଭିନ୍ନକ୍ଷମ ଶାଖା,ଆସୋସିଏସନ୍ ଅଫ ପିପୁଲ ଆପ୍ଲିକେସନ୍ ବାୟ ଲେପର୍ସି, ଓଡିଶା ରାଜ୍ୟ ଲେପର୍ସି ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟଅତିଥି ଚାଟାର୍ଜୀ ଉଦଘାଟନ କରିଥିଲେ । ଏହାସହ କର୍ମଶାଳା ସଂପର୍କରେ ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ଅଧିକାର ଓ ଅଧିନିୟମ ୨୦୧୬ ଅନୁଯାୟୀ ୪୦ ପ୍ରତିଶତରୁ ଅଧିକ ହୋଇଥିବା ଦିବ୍ୟାଙ୍ଗ ସରକାରୀ ଓ ବେସରକାରୀ ସ୍ତରରେ ମିଳିବାକୁ ଥିବା ସମସ୍ତ ସୁବିଧା ସମସ୍ତଙ୍କୁ ମିଳିପାରିନାହିଁ। ମୁଖ୍ୟତଃ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଏସବୁ ରୁ ବଞ୍ଚିତ ହେଉଛନ୍ତି । ତେଣୁ ଏହି ସଂପର୍କରେ ସଚେତନ ହେଲେ ତଥା ଦକ୍ଷତା ପ୍ରତିପାଦନ କରିପାରିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ।
ଅନ୍ୟପଟେ ଡଃ ବିଶ୍ୱାଳ ୨୦୧୬ ଅଧିନିୟମ ଅନୁଯାୟୀ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଓ ସହାୟତା ଉପରେ ବିସ୍ତୃତ ବିବରଣୀ ରଖିଥିଲେ। ସେହିପରି ଉମେଶ କୁମାର ନାୟକ, ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ଅନେକ ଦାବି ପୂରଣ ହୋଇନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟ ଭଳି ବୃଦ୍ଧି କରିବା ପାଇଁ ଦାବି କରିଥିଲେ।
ସୂଚନାଯୋଗ୍ୟ ଯେ ଏହି କର୍ମଶାଳାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୪୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରି ଅଧିକାର ଓ ଅଧିନିୟମ ୨୦୧୬ ସଂପର୍କରେ ଅବଗତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାଭିମାନର ସତ୍ୟଜିତ ବେହେରା, ଶ୍ରଦ୍ଧାର ସର୍ବଶ୍ରୀ ସୁକୁମାର ପାଣ୍ଡବ,ସଂଜୟ ରଣା, ସ୍ଵୟଂପ୍ରଭା ପାଣ୍ଡବ,ଅଞ୍ଜଳୀ ମହାରଣା, ସୁଜାତା ରାଉତ ଏହି କର୍ମଶାଳା ପରିଚାଳନା ରେ ସହଯୋଗ କରିଥିଲେ।