(ସଂଜୁକ୍ତା ବେହେରା): ତିତିଲର ମହାତାଣ୍ଡବରେ ପାଖାପାଖି ୩୦ ଲକ୍ଷ ଲୋକ ପ୍ରଭାବିତ । ୨୭ଟି ଗାଁର ପାଖାପାଖି ୯୨୦୦ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ୫୦୩ଟି ପଞ୍ଚାୟତରେ ଜନଜୀବନ ଅସ୍ତବ୍ୟସ୍ତ। ୧୪୫୫ଟି ଘର ଉଡିଯାଇଛି। ୫୦୨୪୬ ହେକ୍ଟର ଜମିରେ ଫସଲ ନଷ୍ଟଭ୍ରଷ୍ଟ । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଅନ୍ତର୍ଗତ ୩୨୫୦ ଗାଁରେ ତିତଲି ଏଭଳି ବିତ୍ପାତ ଘଟାଇଛି । ସରକାର ତିତଲିର ମହାତାଣ୍ଡବ ଧ୍ୱଂସ ଗଦା ଭିତରୁ କ୍ଷୟକ୍ଷତିର ହିସାବ ଏଯାଏ ପାଇଥିଲେ ହେଁ ବାସ୍ତବରେ କ୍ଷତିର ପରିମାଣ ଆହୁରୀ ଅଧିକା । ଆଜି ବିଳମ୍ବିତ ରାତିରେ ସ୍ବତନ୍ତ୍ର ରିଲିଫ୍ କମିସନର କାର୍ୟ୍ୟାଳୟ ପକ୍ଷରୁ ତିତଲିର ପ୍ରଭାବ ସଂପର୍କରେ ଏକ ରିପୋର୍ଟ ଜାରି କରାଯାଇଛି। ସାମୁଦ୍ରିକ ଝଡ଼ ତିତଲି ଏତେ ଭୀଷଣ ଥିଲା ଯେ ଗଜପତି, ଗଞ୍ଜାମ, ରାୟଗଡା, ପୁରୀ ଓ କନ୍ଧମାଳକୁ ଅଧିକ ଖିନିଭିନ କରିଦେଇଛି । ଗଜପତି ଜିଲ୍ଲାରେ ଗଛ ଉପୁଡିଯିବାରୁ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ନିର୍ଦିଷ୍ଟ ଆକଳନ ଏଯାଏ ହୋଇପାରିନାହିଁ। କାଶୀନଗର ଠାରୁ ପାରଳାଖେମୁଣ୍ଡି ଓ ଗୁମ୍ମା ଠାରୁ ପାରଳାଖେମୁଣ୍ଡି ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇଛି। ଗଂଜାମ ଜିଲ୍ଲାରେ, ୫୦୩ଟି ପଞ୍ଚାୟତ ଓ ୧୮ଟି ଵାର୍ଡ ତିତଲି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଋଷିକୂଲ୍ୟା ଓ ଏହାର ଶାଖା ନଦୀରେ ବନ୍ୟା ଆସିବା କାରଣରୁ ସ୍ଥିତି ଅଧିକ ବିପଜ୍ଜନକ ହେଲାଣି। । ଋଷିକୂଲ୍ୟା ନଦୀର ୧୫ମିଟର, ସୁନ୍ଦରାପଲିରେ ୨୦ ମିଟର ଓ ଦାମୋଦରପାଲିରେ ୨୦ ମିଟର ଏହିଭଳି ତିନିଟି ଘାଇ ସୃଷ୍ଟି ହୋଇଛି। ରାୟଗଡା ଜିଲ୍ଲାରେ ମଧ୍ୟ ଗଛ ଉପୁଡିଯିବା ଯୋଗୁଁ ଯୋଗାଯୋଗ ବ୍ୟାହତ ହୋଇଛି। ବଂଶଧାରାରେ ବନ୍ୟା କାରଣରୁ ୩ଟି ପଞ୍ଚାୟତର ୫ଟି ଗାଁ ଲୋକ ପ୍ରଭାବିତ ହୋଇଛନ୍ତି। ପୁରୀର ଅସ୍ତରଙ୍ଗ, ବ୍ରହ୍ମଗିରି, ଗୋପ, କାକଟପୁର,କୃଷ୍ଣପ୍ରସାଦ, ପୁରୀ ସଦର ବ୍ୟତୀତ କୋଣାର୍କ ଏନ୍ଏସି ଓ ପୁରୀ ପୌରସଂସ୍ଥାର ୨୦ ହଜାର ୭୦୭ ଲୋକଙ୍କ ଉପରେ ତିତଲି ମାଡ଼ ପଡିଛି। ୩୮ଟି ଘର ଭାଙ୍ଗିଯାଇଛି। ସେହିଭଳି କନ୍ଧମାଳରେ ୨୧ଟି ଘର ଭାଙ୍ଗିଯାଇଛି ଓ ଗାଈ ଗୋରୁ ବି ପ୍ରଭାବିତ ହୋଇଛନ୍ତି।