ଖୋର୍ଦ୍ଧା (ପ୍ରବୀଣ ଭଞ୍ଜ) : ସାଇବର କ୍ରାଇମ ବିରୁଦ୍ଧରେ ଏବେ ଅଣ୍ଟା ଭିଡ଼ିଛି ଖୋର୍ଦ୍ଧା ଜିଲ୍ଲା ପୁଲିସ । ଏ ନେଇ ଜିଲ୍ଲା ପୋଲିସ୍ ତରଫରୁ ସାଇବର ସୁରକ୍ଷା ସଚେତନତା ଲାଗି ଏକ ଗଣଦୌଡ ଅନୁଷ୍ଟିତ ହୋଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଓ ଏସ୍ପି ସିଦ୍ଧାର୍ଥ କଟାରିଆ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ପରେ ଗଣ ଦୌଡ଼ରେ ଭାଗ ନେଇଥିଲେ ୫ଶହରୁ ଉର୍ଦ୍ଧ୍ବ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ। ଯୁବକ ଓ ସାଧାରଣ ଲୋକ ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡ଼ିଆଠାରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ମୋବାଇଲରେ ଅବୈଧ ଆପକୁ ବ୍ୟବହାର ନ କରିବା, ବିଭିନ୍ନ ବ୍ୟାଙ୍କର ୟୁପିଆଇ ପିନ କୋଡ ଓ ବ୍ୟକ୍ତିଗତ ଗୁପ୍ତ ତଥ୍ୟ,ମୋବାଇଲରେ ବିଭିନ୍ନ ଭ୍ରମାତ୍ମକ ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।
ଏସ୍ପି କଟ୍ଟାରିଆ ସାଇବର କ୍ରାଇମର ଶିକାର ହେଉଥିବା ବ୍ୟକ୍ତି ବ୍ୟସ୍ତ ନହୋଇ ତୁରନ୍ତ ପୁଲିସକୁ ଖବର କରନ୍ତୁ ଏବଂ ନିଜ ନିଜର ମୋବାଇଲ ସିକ୍ରେଟ ନମ୍ବର ହେଉ କିମ୍ବା କୌଣସି ଓଟିପି ନମ୍ବର କେହି ଫୋନ କଲ କରି ମାଗିଲେ ନଦେବା ପାଇଁ ସଚେତନ ରହିବାକୁ କହିଥିଲେ । ସାଇବର ଅପରାଧରେ ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ଦେୟମୁକ୍ତ ୧୯୩୦ ନମ୍ବରକୁ ସମ୍ପର୍କ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମକୁ ଡ଼ିଏସପି ମିନାକ୍ଷୀ ଠାକୁର ପରିଚାଳନା କରିଥିଲେ।