କଟକ: ପୁଣି ଅଜଣା ଜନ୍ତୁର ଭୟ । ଅଜଣା ଜନ୍ତୁର ଭୟରେ ଗ୍ରାମବାସୀ । ରାତିର ଅନ୍ଧାରରେ ସେ ଆସୁଛି । ଆଉ କଲିଜା ନେଇ ଚାଲିଯାଉଛି । କେହି କିଛି ଟେର୍ ବି ପାଉ ନାହାନ୍ତି । ରାତି ଯେତେ ବଢୁଛି ସେ ସେତେ ମେଣ୍ଢାଙ୍କୁ ମାରି କଲିଜା ନେଇ ଚାଲିଯାଉଛି । କିନ୍ତୁ କିଏ ସେହି ଅଜଣା ଜନ୍ତୁ ? ଜନ୍ତୁ ନା କେଉଁ ମଣିଷ ଏଭଳି ବର୍ବର କାଣ୍ଡ ଘଟାଉଛି ? ଟେର୍ ପାଉନି ବନ ବିଭାଗ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗ୍ରାମରେ ।
ଗତ ୪ ଦିନରେ ୨୯ ମେଣ୍ଢାଙ୍କ ଜୀବନ ନେଇଛି ଏହି ଅଜଣା ଜନ୍ତୁ । ରାତିର ଅନ୍ଧାରରେ ଆସି ମେଣ୍ଡାଙ୍କୁ ରକ୍ତାତ କରି ମାରିବା ସହ କଲିଜା ନେଇ ଯାଉଛି ଏହି ଜନ୍ତୁ । ଗତ ସୋମବାର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢା ଓ ଗୋକୁଳାନନ୍ଦଙ୍କ ୯ଟି ମେଣ୍ଢାର ଜୀବନ ନେଇଛି ଏହି ଅଜଣା ଜନ୍ତୁ । କିନ୍ତୁ ଏତେ ସଂଖ୍ୟକ ମେଣ୍ଢାଙ୍କ ମୃତ୍ୟୁ ପରେ ବି ସେହି ଜନ୍ତୁର ଟେର ପାଉନି ବନ ବିଭାଗ ।
ଅନ୍ୟପଟେ ଏତେ ସଂଖ୍ୟକ ମେଣ୍ଢାଙ୍କ ମୃତ୍ୟୁ ପରେ ମେଣ୍ଢା ଚାଷୀଙ୍କ ଚିନ୍ତା ବଢିଯାଇଛି । ଗ୍ରାମବାସୀମାନେ ନିଜକୁ ମଧ୍ୟ ସୁର କ୍ଷିତ ଭାବୁନଥିବା ପ୍ରକାଶ କରିଛନ୍ତି । ଏହାସହ ସରକାରଙ୍କ ନିକଟରେ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ତେବେ ବନ ବିଭାଗ କର୍ମଚାରୀ ସହ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସୂଚନାଥାଉକି,ଗତ ୪ ବର୍ଷ ତଳେ ମଧ୍ୟ ନିଆଳି ଅଞ୍ଚଳରେ ହଜାର ହଜାର ମେଣ୍ଢାଙ୍କ ଜୀବନ ଯାଇଥିଲା ।