ଗିରଫ ହେଲା ୭ ବର୍ଷର ଫେରାର ଅପରାଧୀ

(କଟକ, ଜଗନ୍ନାଥ ମହାନ୍ତି): ୭ ବର୍ଷର ଲୁଚକାଳି ପରେ ଶେଷରେ ପୋଲିସ ହାତରେ ଧରା ପଡିଛି ଜଣେ ଅଭିଯୁକ୍ତ । ବହୁ ଚର୍ଚ୍ଚିତ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକ ହତ୍ୟା ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ୭ ବର୍ଷ ପରେ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ଜଗତ ସିଂପୁରର ଦୀପକ ନାୟକ । ଦୀପକକୁ ଗିରଫ କରାଯିବା ସହ ତା ନିକଟରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି ।

ଗତ ୨୦୧୪ ମସିହାରେ ହୋଇଥିବା ଏହି ହତ୍ୟାକାଣ୍ଡ ପଛରେ ଧଳ ସାମନ୍ତ ଭ୍ରାତାଙ୍କ ସମ୍ପୃକ୍ତି ଥିବା ବେଳେ ଦୀପକ ମଧ୍ୟ ଏହି ହତ୍ୟାକାଣ୍ଡ ମାମଲାରେ ସାମିଲ ଥିଲା। ଦୀର୍ଘ ୭ ବର୍ଷ ପର୍ଯ୍ୟନ୍ତ ପୋଲିସ ସହ ଲୁଚକାଳି ଖେଳିବା ପରେ କିଛି ଦିନ ତଳେ କଟକ ଆସିଥିଲା ଦୀପକ । ତେବେ ପୁଣି ଥରେ ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କଟକ ରେଳ ଷ୍ଟେସନରେ ପୋଲିସ ତାକୁ କାବୁ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ।