ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ଭାରତର କ୍ରେଡିଟ ରେଟିଂ ନକାରାତ୍ମକ

(ସରୋଜ ରାଉତ) ଭୁବନେଶ୍ୱର: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଭାରତର କ୍ରେଡିଟ୍‌ ରେଟିଂ ଆଉଟଲୁକକୁ ନକରାତ୍ମକ ଦର୍ଶାଇଥିବା ଜଣାପଡିଛି। ସରକାର ଅକ ଦୁର୍ବଳାବସ୍ଥାକୁ ଠିକ୍‌ କରିବା ଦିଗରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ଅଭିବୃଦ୍ଧି ନିମ୍ନରେ ରହିଥିବାରୁ ଭାରତ ଲାଗି ବିପଦ ବଢୁଥିବା ଏହି ରେଟିଂ କହିଛି। ଏହି ସମୟରେ ଭାରତର ବିଦେଶୀ ମୁଦ୍ରା ରେଟିଂକୁ ବିଏଏ୨ ରଖାଯାଇଛି। ଏହା ଦ୍ୱିତୀୟ ସର୍ବନିମ୍ନ ନିବେଶ ଗ୍ରେଡ୍‌ ସ୍କୋର। ମାର୍ଚ୍ଚ ୨୦୨୦ ଯାଏ ଭାରତର ବିତ୍ତୀୟ ନିୟଣ୍ଟ ମୋଟ୍‌ ଜିଡ଼ିପିର ୩.୭% ସ୍ତର ଛୁଇଁବ ବୋଲି ଏହା ଆକଳନ କରିଛି। ଦେଶର ବିତ୍ତିୟ ନିଅଣ୍ଟ ୩.୩% ସ୍ତରରେ ରହିବ ବୋଲି ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଥିଲେ। ଘରୋଇ ବଜାରର ଜିଡିପି ଅଭିବୃଦ୍ଧି ଧୀମା ରହିଥିବା ବେଳେ ସରକାର ଗ୍ରହଣ କରିଥିବା କର୍ପୋରେଟ ଟିକସ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ରାଜସ୍ବ କମୁଥିବା କୁହାଯାଉଛି।
ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାରୀ ପଦକ୍ଷେପ ଏବଂ ନୀତି ପର୍ୟ୍ୟାପ୍ତ ହେଉ ନ ଥିବା ବେଳେ ଏହା ଭାରତ ଉପରେ ଋଣ ବୋଝ ଆହୁରି ବଢାଇବ। ସରକାରଙ୍କ ଉପରେ ଏବେ ଋଣ ବୋଝ ରହିଥିବା ବେଳେ ସ୍ଥିତି ବିଗିଡିବ ବୋଲି ମୁଡିସ୍‌ ଏହାର ପୂର୍ବାନୁମାନରେ କହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୫% ସ୍ତରରେ ରହିଛି। ୨୦୧୩ ପରଠାରୁ ଏହା ସବୁଠାରୁ ସର୍ବନିମ୍ନ ସ୍ତର। ବିଶ୍ୱସ୍ତର ମାନ୍ଦାବସ୍ଥା ଯୋଗୁ ସରକାରଙ୍କ ନିବେଶ କମିଛି। ସେହିଭଳି ଚାହିଦା କମିବା ଯୋଗୁ ଦେଶର ଅର୍ଥନୈତିକ କାର୍ୟ୍ୟକଳାପ ହ୍ରାସ ହୋଇଥିବାରୁ ବଜାର ବିଶେଷଜ୍ଞମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କରୁଛନ୍ତି। ଅଣବ୍ୟାଙ୍କି ବିତ୍ତ ପ୍ରତିଷ୍ଠାନଗୁଡିକରେ ସଙ୍କଟ ଯୋଗୁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାବାଦ ମାନ୍ଦାବସ୍ଥା ପ୍ରଭାବ ଏବେ ଖୁଚୁରା ବ୍ୟବସାୟ, କାର୍‌ ନିର୍ମାଣକାରୀ, ରିୟଲ ଇଷ୍ଟେଟ ଏବଂ ଲଘୁ ଉଦ୍ୟୋଗ ଉପରେ ପଡିଛି। ବର୍ତ୍ତମାନ ଫିଚ୍‌ ଏବଂ ଏସ୍‌ ଆଣ୍ଡ ପି ଭଳି ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ଭାରତର ଆଉଟଲୁକ ରେଟିଂକୁ ଷ୍ଟେବଲ(ସ୍ଥିର) ବୋଲି କହିଛନ୍ତି।