ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

(ରଜନାକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ହିଞ୍ଜିଳି ଗସ୍ତରେ ଆସି କୋଭିଡ ସଂକ୍ରମଣ ସ୍ଥିତି ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରିଥିଲେ । ପ୍ରଥମେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ଥିବା ମୋ ସରକାର କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ ।
ବର୍ତ୍ତମାନ ସୁଦ୍ଧା ବ୍ଲକରେ ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ବିଡ଼ିଓ ଅବଗତ କରାଇଥିଲେ । ଏଥିସହ ବ୍ଲକ ଅଞ୍ଚଳରେ ଚାଲିଥିବା ଆଣ୍ଟିଜେନ୍ ଟେଷ୍ଟରେ ଦ୍ୱାରା ଗ୍ରାମରେ ଅଧିକାଂଶ ଲୋକ କରୋନା ନେଗେଟିଭ ଥିବା ସେ ସୂଚନା ଦେଇଥିଲେ । ସ୍ଥାନୀୟ କୋଭିଡ କେୟାର ସେଣ୍ଟରରେ ଅଦ୍ୟାବଧି ୧୦ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ପରବର୍ତ୍ତୀ ପର୍ୟ୍ୟାୟରେ ଚିହ୍ନଟ ଆକ୍ରାନ୍ତ ଙ୍କୁ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ବିଡ଼ିଓଙ୍କୁ ଜିଲ୍ଲାପାଳ କହିଥିଲେ । ଏହି ସମୟରେ ବିଭିନ୍ନ ଅସୁବିଧା ନେଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।
ଅପରପକ୍ଷରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୩୦ ମେଟ୍ରିକ ଟନ ବିଶିଷ୍ଟ ଶୀତଳ ଭଣ୍ଡାରର ଅନ୍ତିମ ପର୍ୟ୍ୟାୟ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଏହାର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ଓ ସମ୍ପାଦକ ବିନାୟକ ବିଶ୍ବାଳଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଫେରି ଜିଲ୍ଲାପାଳ ନୁଆଁଗଡ ଠାରେ ପୌରାଞ୍ଚଳ ପକ୍ଷରୁ ନିର୍ମାଣାଧୀନ ଥିବା ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ପ୍ରକ୍ରିୟାକରଣ ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।