(ପ୍ରିୟଦର୍ଶନୀ ସ୍ୱାଇଁ/ରିପୋର୍ଟର୍ସଟୁଡ଼େ)ଭୁବନେଶ୍ୱର : ସାଧାରଣତଃ ସମସ୍ତେ ଉପବାସ /ବ୍ରତରେ ବିନା ପିଆଜ ,ରସୁଣ ରେ କିଛି ଟେଷ୍ଟି ଖାଇବାକୁ ଇଚ୍ଛା କରିଥାନ୍ତି । ତେବେ ଆଜି ଆମେ ଏପରି ଏକ ରେସିପି କହିବୁ ଯାହା ଆପଣ ଅତି କମ ସମୟରେ ବନେଇ ପାରିବେ ଆଉ ଏହା ସମସ୍ତେ ପସନ୍ଦ ମଧ୍ୟ କରିବେ ।
ଆବଶ୍ୟକ ସାମଗ୍ରୀ: ଭଜା ମୁଗଡ଼ାଲି-୨୦୦ଗ୍ରାମ , ନଡ଼ିଆ କୋରା-ଗୋଟେ ଫାଳ , ଜିରା, ଅଦା ଛେଚା-ଅଳ୍ପ , କଞ୍ଚାଲଙ୍କା-୪ଟି , ହଳଦି- ଛୋଟ ଚାମଚ , ତେଜପତ୍ର-୨ଟି , ଗରମ ମସଲା -ଛୋଟ ଚାମଚ ,ଘିଅ-ବଡ ଚାମଚ ଓ ଲୁଣ-ସ୍ୱାଦ ଅନୁଯାୟୀ ।
ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସ ଅନକରି ଭଜା ମୁଗଡ଼ାଲିକୁ ପ୍ରଥମେ ଲୁଣ ଓ ହଳଦି ଦେଇ ସିଝାନ୍ତୁ। ଆପଣ ଯଦି ଉପାସ ବାରରେ ହଳଦି ଖାଇବାକୁ ଚାହୁଁ ନାହାଁନ୍ତି ତେବେ ବିନା ହଳଦୀରେ ମଧ୍ୟ କରିପାରିବେ। ଡ଼ାଲି ସିଝିଗଲେ ସେଥିରେ ଛେଚା ଅଦା ଓ କଞ୍ଚାଲଙ୍କା ଦିଅନ୍ତୁ। ତାପରେ କରେଇରେ ଘିଅ ଗରମ କରି ଜିରା ଓ ତେଜପତ୍ର ପକାନ୍ତୁ। ଜିରା ଫୁଟିଗଲେ ଏଥିରେ ନଡ଼ିଆ କୋରା ପକାଇ ଭଲ କରି ଭାଜନ୍ତୁ । ନଡ଼ିଆ କୋରା ଭାଜି ଲାଲ ହୋଇଗଲେ ପୂର୍ବରୁ ପ୍ରସ୍ତୁତ ଡ଼ାଲି ସିଝାକୁ ଏଥିରେ ଢ଼ାଳି ଗୋଳେଇ ଦିଅନ୍ତୁ। ଏଥର ଉପରେ ଗରମ ମସଲା ପକେଇ ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ‘ନଡ଼ିଆ ମୁଗଡ଼ାଲି’। ଓଷା ବ୍ରତରେ ଏହାକୁ ଗରମ ଗରମ ପରଟା ସହ ଖାଆନ୍ତୁ। ଆପଣ ଏହାକୁ ଖାଲି ମଧ୍ୟ ଖାଇପାରିବେ।