କଟକ:କଟକ ଏସସିବି ମେଡିକାଲରେ ନର୍ସ ଓ ହାଉସ ସର୍ଜନଙ୍କ ଭିତରେ ବିବାଦ ଚାଲିଥିବା ବେଳେ ହାଉସ ସର୍ଜନ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ବୁଧବାର ଠାରୁ ହାଉସ ସର୍ଜନ ମାନଙ୍କ କାର୍ଯ୍ୟ ବନ୍ଦ ଡାକରାର ପ୍ରଥମ ଦିନ ଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ରେସିଡେନ୍ସ ଡାକ୍ତର ଆସୋସିଏସନ, ଜୁନିଅର ଡାକ୍ତର ଆସୋସିଏସନ ଓ ଷ୍ଟଡେଣ୍ଟ ୟୁନିୟନ । ସେମାନେ ମଧ୍ୟ ଏହି ଘଟଣାରେ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ।ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି। ଅନ୍ୟପଟେ ଆସନ୍ତାକାଲି ନର୍ସିଂ ଅଫିସରମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ, ଗତ ରବିବାର ଏସସିବି ମେଡିସିନ୍ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଡ୍ୟୁଟିରେ ଥିବା ନର୍ସିଂ ଅଫିସର ସ୍ନେହସୁଧା ସାହୁ ଜଣେ ହାଉସ୍ ସର୍ଜନଙ୍କୁ ଜଣାଇଥିଲେ। ମାତ୍ର ସେ ବିଳମ୍ବରେ ଆସିବାରୁ ପ୍ଲାଜମା ରକ୍ତ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଥିଲେ ସ୍ନେହସୁଧା। ଏପରିକି ସ୍ନେହସୁଧାଙ୍କୁ କିଛି ହାଉସ୍ ସର୍ଜନ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ନେହସୁଧା ସାହୁ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଘଟଣା ପରେ ଏସସିବି ଅଧୀକ୍ଷକ ଏକ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିର ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧୀକ୍ଷକ।