ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମରୁ ଉଠାଇ ଆଣିଲା କମିଶନରେଟ ପୋଲିସ

ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କଲା କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ । ଆଜି ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେବି ଧରାପଡିନାହାଁନ୍ତି ଆଉ ୨ ଅଭିଯୁକ୍ତ । ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍ ହାପି ନାମରେ ବହୁ ମାମଲା ଆଗରୁ ରହିଛି । ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୋଲିସ କହିଛି । ତାକୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି ।

ସୂଚନା ଅନୁଯାୟୀ, ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଛି । ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି । ମାମଲା ରେଡ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶକୁ ପୋଲିସ ଗଞ୍ଜାମରୁ ଉଠାଇ ଆଣିଛି । ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ । ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ । ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଥିଲେ । ଏହା ସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଘଟଣାର ୫ ଦିନ ପରେ ପୋଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଥିଲା ।

Madhya Pradesh: Minor Rape Survivor Sent To Accused's House By Welfare  Officials, Assaulted Again | India News | Zee News