୨୯ଟି ରାଜ୍ୟରେ ପୁଣି ଆରମ୍ଭ ହେଲା କମର୍ସିଆଲ୍ LPG ସିଲିଣ୍ଡର ଯୋଗାଣ, ପ୍ୟାନିକ ହୋଇ ବୁକିଂ ନ କରିବାକୁ ସରକାରଙ୍କ ଅନୁରୋଧ
New Delhi: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ନେଇ କିଛି ଦିନ ଧରି ଚିନ୍ତା ଦେଖାଦେଇଥିଲା। ବିଶେଷକରି କମର୍ସିଆଲ୍ LPG ସିଲିଣ୍ଡର ଯୋଗାଣରେ ବାଧା ସୃଷ୍ଟି ହେବାରୁ ବାଣିଜ୍ୟିକ ଗ୍ରାହକମାନଙ୍କ ମଧ୍ୟରେ ହଇଚଇ ପରିସ୍ଥିତି ତିଆରି ହୋଇଥିଲା। ତେବେ ପରିସ୍ଥିତି ଏବେ ଧୀରେ ଧୀରେ ସୁଧାରୁଛି ଏବଂ କମର୍ସିଆଲ୍ ସିଲିଣ୍ଡର ଯୋଗାଣ ପୁଣିଥରେ ଆରମ୍ଭ ହୋଇଛି।ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କମର୍ସିଆଲ୍ LPG ସିଲିଣ୍ଡର ବଣ୍ଟନ ପୁନଃ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ସିଲିଣ୍ଡରଗୁଡ଼ିକୁ ବାଣିଜ୍ୟିକ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି।

ସେ ଆହୁରି କହିଛନ୍ତି ଯେ ଦେଶରେ କୌଣସି ଗ୍ୟାସ୍ ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର ମଜୁତ ରହିଛି। ଭାରତ ପାଖରେ ଯଥେଷ୍ଟ ଅଶୋଧିତ ତୈଳ ମଜୁତ ଥିବା ସହିତ ଦେଶରେ ପେଟ୍ରୋଲ ଓ ଡିଜେଲ ମଧ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ଅଛି। ଦେଶୀୟ ରିଫାଇନେରୀଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ କରୁଥିବାରୁ ଯୋଗାଣ ସମ୍ପର୍କରେ କୌଣସି ଚିନ୍ତାର କାରଣ ନାହିଁ। ତଥାପି ଲୋକମାନଙ୍କ ମଧ୍ୟରେ ପ୍ୟାନିକ ବୁକିଂ ବଢୁଥିବାରୁ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ସୁଜାତା ଶର୍ମା ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆବଶ୍ୟକ ହେଲେ ମାତ୍ର LPG ସିଲିଣ୍ଡର ବୁକିଂ କରନ୍ତୁ ଏବଂ ଡିଲରଙ୍କ ପାଖରେ ଅନାବଶ୍ୟକ ଭିଡ଼ ନ କରନ୍ତୁ। ଗ୍ୟାସ୍ କମ୍ପାନୀମାନେ ପୂର୍ବପରି ଘରେ ଘରେ ସିଲିଣ୍ଡର ଯୋଗାଣ ଜାରି ରଖିବେ ବୋଲି ସେ କହିଛନ୍ତି।

ଏହା ସହିତ ସରକାର କମର୍ସିଆଲ୍ LPG ଗ୍ରାହକମାନଙ୍କୁ ଧୀରେ ଧୀରେ PNG ସଂଯୋଗକୁ ସ୍ଥାନାନ୍ତର କରାଇବା ପାଇଁ କାମ କରୁଛନ୍ତି। ଯେଉଁଠାରେ ସମ୍ଭବ ସେଠାରେ ବାଣିଜ୍ୟିକ ସଂସ୍ଥାଗୁଡ଼ିକୁ PNG ସଂଯୋଗ ଦେବାକୁ ପଦକ୍ଷେପ ନିଆଯାଉଛି। ଏପରି ସମୟରେ କଳାବଜାରୀକୁ ରୋକିବା ପାଇଁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି। ବିଭିନ୍ନ ରାଜ୍ୟରେ ତୈଳ କମ୍ପାନୀ ଓ ପ୍ରଶାସନଙ୍କ ମିଳିତ ଦଳ ଗଠନ କରାଯାଇ ନିୟମିତ ଚଢାଉ ଚାଲିଛି। ସରକାର କହିଛନ୍ତି ଯେ ଦେଶରେ ଗ୍ୟାସ୍ ଯୋଗାଣ ସ୍ଥିର ଅଛି ଏବଂ ଅଫବାହକୁ ଗୁରୁତ୍ୱ ନ ଦେବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।