ଭୁବନେଶ୍ୱର :ବସ୍ତି ମୁକ୍ତ ହେବ ରାଜ୍ୟ। ଭୂମିହୀନଙ୍କୁ ଦିଆଯିବ ଜମି ପଟ୍ଟା । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ୍ ଜରିଆରେ ସହରାଞ୍ଚଳରେ ଉପକୃତ ହେବେ ଲକ୍ଷାଧିକ ପରିବାର। ଏନେଇ ଡ୍ରୋନ୍ ଜରିଆରେ ଓ ଘରକୁ ଘର ବୁଲି ହେବ ସର୍ଭେ। ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ଜମି ଦେଇ ସମ୍ମାନ ର ସହ ବଞ୍ଚିବାର ଏକ ଛାତ ଦେବାର ସଂକଳ୍ପ ନେଇଛନ୍ତି ସରକାର। ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର କାର୍ୟ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି । ସ୍ଥାନୀୟ କିଟ୍ କନ୍ଭେନସନ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ।
୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ୟ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା (ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷ ହକ୍ଟଙ୍କକ୍ସଦ୍ଭରଚ୍ଚ) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାଗା ମିଶନ କାର୍ୟ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି । ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି । ଏ ମିଶନର ଫୋକସ ହେଉଛି ଚରକ୍ଟକ୍ଟ୍ରକ୍ଷର ଲସକ୍ସଗ୍ଦଗ୍ଧ । ଜାଗା ମିଶନରେ ଆଜି ପର୍ୟ୍ୟନ୍ତ ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ । ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଛନ୍ତି ।
ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ସଂଘ ଗୁଡିକୁ ଆମେ ସରକାରଙ୍କ ଚତୁର୍ଥ ସଂଘ ଭାବେ ମାନ୍ୟତା ଦେଇଛୁ । ସେମାନଙ୍କ ବିକାଶ ଓ ଶାସନତନ୍ତ୍ର ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ । ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ । ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଏହି ସଂଘ ଗୁଡିକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ଆମେ ଚୁପ ହୋଇ ବସି ପାରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବସ୍ତି ବିକାଶ କାର୍ୟ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟର ସହର ଗୁଡିକ ବିଶେଷ କରି ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ସେ ଉଚ୍ଚପ୍ରଶଂସା କରିଛନ୍ତି ।ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିବାବେ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ୟ୍ୟକ୍ରମର ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।
୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ:-
ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଛନ୍ତି । ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜିଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ । ସାରା ରାଜ୍ୟ ବସ୍ତି ମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଅନ୍ୟପଟେ ଭୁବନେଶ୍ବରରେ ରାଜୀବ ଆବାସ ଓ ଆବାସ ଯୋଜନାରେ ବହୁ ପରିବାରଙ୍କୁ ପକ୍କା ଘର ଯୋଗାଇ ଥଇଥାନ କରାଯାଇଛି । ତଥାପି ଅନେକ ପରିବାର ଉଭୟ ତାଲିକାରୁ ବିଭିନ୍ନ କାରଣରୁ ବାଦ୍ ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା ତଥା ସର୍ବବୃହତ୍ ଯୋଜନା ଜାଗା ମିଶନ କାର୍ୟ୍ୟକାରୀ ହେଲେ ରାଜଧାନୀର ଲକ୍ଷାଧିକ ପରିବାର ଉପକୃତ ହୋଇପାରିବେ ବୋଲି କହିଛନ୍ତି ଭୁବନେଶ୍ବର ମେୟର । ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ବରରେ ଯଦିଓ ୪୩୬ଟି ବସ୍ତିକୁ ପଞ୍ଜିକରଣ କରାଯାଇଛି ତେବେ ଅହୁରି ଅନେକ ବସ୍ତି ଏହି ତାଲିକାରୁ ବାଦ୍ ପଡିଛନ୍ତି । ପର୍ୟ୍ୟାୟ କ୍ରମେ ସମସ୍ତ ବସ୍ତିର ପୁନଃ ସର୍ଭେ କରାଯିବ ବୋଲି ଗାଡକଣା ଠାରେ ଆୟୋଜିତ ହୋଇଥିବା ବିଶାଳ ସଭାରେ ଉପସ୍ଥିତ ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି ।